ଟିକା ପାଇଁ ବଢ଼ୁଛି ଆଗ୍ରହ, ଦୁଇ ଦିନରେ କୋ-ୱିନ୍ ପୋର୍ଟାଲରେ ହେଲାଣି ୫୦ ଲକ୍ଷ ପଞ୍ଜିକରଣ

ନୂଆଦିଲ୍ଲୀ – କରୋନା ବିରୋଧରେ ଦେଶରେ ଏବେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ବିଭିନ୍ନ ଜଟିଳ ରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି । ଟିକା ନେବାକୁ ପ୍ରଥମେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ । ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କୋ-ୱିନ ପୋର୍ଟାଲରେ ମଙ୍ଗଳବାର ସୁଦ୍ଧା ୫୦ ଲକ୍ଷ ଲୋକ ପଞ୍ଜିକରଣ କରିସାରିଛନ୍ତି । ବିନା କୌଣସି ବୈଷୟିକ ତ୍ରୁଟିରେ ଟିକା ପାଇଁ ଏହି ପୋର୍ଟାଲରେ ପଞ୍ଜିକରଣ ଚାଲିଛି କେନ୍ଦ୍ର ତରଫରୁ କୁହାଯାଇଛି । କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ସୋମବାର ସକାଳ ୯ଟାରୁ ଆରମ୍ଭ ହୋଇଥିଲା ।

ପ୍ରଥମ ଦୁଇ ପର୍ଯ୍ୟାୟ ଟିକାକରଣରେ ଏଯାବତ୍ ୧,୪୮,୫୫,୦୭୩ କୋଭିଡ୍ ଡୋଜ୍ ଦିଆଯାଇଛି । ଏଥିମଧ୍ୟରୁ ୬୭,୦୪,୮୫୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୨୫,୯୮,୧୯୨ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି । ଏହାଛଡ଼ା ୫୩,୪୩,୨୧୯ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧା ବି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ଏଯାବତ୍ ୨,୦୮,୭୯୧ ଜଣ ଲୋକଙ୍କୁ ଟିକା ଲଗାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।

Comments are closed.