‘ତାଣ୍ଡବ’ପାଇଁ ଆମାଜନ ପ୍ରାଇମ ଭିଡିଓର ନିଃସର୍ତ୍ତ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ – ଆମାଜନ ପ୍ରାଇମ୍ ଭିଡିଓ ଏହାର ବିବାଦୀୟ ସିରିଜ୍ ‘ତାଣ୍ଡବ’ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିିଛି । ଏହି ୱେବ୍ ସିରିଜ୍ ପାଇଁ ଆମାଜନ ପ୍ରାଇମ୍ ଭିଡିଓ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିଲା । ‘ତାଣ୍ଡବ’ରେ ହିନ୍ଦୁ ଦେବାଦେବୀଙ୍କୁ ଆପତ୍ତିଜନକ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ଆମାଜନ ପ୍ରାଇମ୍ ଭିଡିଓ ଏକ ବିବୃତି ଜାରି କରି କହିଛି ଯେ, କିଛି ନିର୍ଦ୍ଦିଷ୍ଟ ଦର୍ଶକ ଏହି ୱେବ୍ ସିରିଜର କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠାଇଥିଲେ । ଏଥିପାଇଁ ଆମେ ଦୁଃଖିତ । ଉକ୍ତ ଦୃଶ୍ୟ ଗୁଡିକୁ ହଟାଇ ଦିଆଯାଇଛି । ଦର୍ଶକ ମାନଙ୍କ ଧାର୍ମିକ ବିବିଧତା ପ୍ରତି ଆମର ସମ୍ମାନ ରହିଛି । ଯଦି ‘ତାଣ୍ଡବ’ ର କିଛି ଦୃଶ୍ୟ ପାଇଁ କାହାର ଭାବନା ଆଘାତ ହୋଇଛି, ସେଥିପାଇଁ ଆମେ ସେମାନଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ଭାରତୀୟ ଆଇନ ଅନୁସାରେ ଏବଂ ଆମ ଦର୍ଶକଙ୍କ ସାଂସ୍କୃତିକ ବିବିଧତାକୁ ସମ୍ମାନ ପୂର୍ବକ ଆମେ ମନୋରଞ୍ଜନଧର୍ମୀ କଣ୍ଟେଟ୍ ପ୍ରସ୍ତୁତ କରିବା ଜାରି ରଖିବୁ ବୋଲି ଆମାଜନ କହିଛି ।
ସୈଫ୍ ଅଲ୍ଲୀ ଖାନ ଓ ଡିମ୍ପଲ କପାଡିଆ ଅଭିନୀତ ‘ତାଣ୍ଡବ’ର କିଛି ଦୃଶ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ୱେବ୍ ସିରିଜକୁ ବିରୋଧ କରି ଏକାଧିକ ମାମଲା ରୁଜୁ ହୋଇଥିଲା । ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବର୍ଜନ ଧମକ ପରେ ଏହି ସିରିଜର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫରଙ୍କ ସହ ସମସ୍ତ କ୍ରୁ ସଦସ୍ୟ ଦୁଇଥର କ୍ଷମା ପ୍ରାର୍ଥନା କରିଛନ୍ତି । ବିବାଦୀୟ ଦୃଶ୍ୟ ଗୁଡିକୁ ମଧ୍ୟ ହଟାଯାଇଛି ।

Comments are closed.