ଡ୍ରଗ୍ସ ଲିଙ୍କ୍ ମାମଲା: ଫେରାର ଅଭିଯୁକ୍ତକୁ ଗିରଫ କଲା ଏନସିବି, ୨.୫ କୋଟିର ନିଶାଦ୍ରବ୍ୟ ଜବତ

ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ୍‌ରେ ସମ୍ପୃକ୍ତ ଜଣେ ଫେରାର୍ ଅଭିଯୁକ୍ତକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବୁଧବାର ଗିରଫ କରିଛି । ଏଥିସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଏନସିବି ୨.୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ କରିଛି । ସୁଶାନ୍ତ ମୃତ୍ୟୁ ମାମଲାରେ ଏହା ସବୁଠୁ ବଡ଼ଧରଣର ଜବତ ବୋଲି ଏନସିବି ତରଫରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ହେଉଛି ନିଶା ବେପାରୀ ରିଗେଲ ମହାକାଲ । ମଙ୍ଗଳବାର ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ ବେଳେ ମହାକାଲକୁ ଧରିବାରେ ସଫଳ ହୋଇଥିଲା ଏନ୍‌ସିବି । ଚଢାଉ ବେଳେ ୨.୫ କୋଟି ମୂଲ୍ୟର ‘ମଲାନା କ୍ରିମ୍‌’ ନାମକ ନିଶାଦ୍ରବ୍ୟ ଜବତ ହୋଇଛି । ମହାକାଲ ସହ ଆଉ ଜଣେ ବ୍ୟକ୍ତିକୁ ବି ଗିରଫ କରାଯାଇଛି । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ନିଶା ବେପାରୀଙ୍କ ଜେରା ବେଳେ ମହାକାଲର ନାମ ସାମ୍ନାକୁ ଆସିଥିଲା । ମହାକାଲ ବହୁ ବଲିଉଡ୍ ସେଲିବ୍ରିଟିକୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ହେଉଛି । ଜୁନରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସୁଶାନ୍ତଙ୍କ ମୃତ୍ୟୁର ଡ୍ରଗ୍ସ ଲିଙ୍କ୍ ନେଇ ଏନସିବି ତଦନ୍ତ ଜାରି ରଖିଛି । ଏହି ମାମଲାରେ ଏନସିବି ଅନେକ ନାମୀଦାମୀ ବଲିଉଡ୍ ସେଲ୍ରିବିଟିଙ୍କୁ ଜେରା କରିସାରିଛି ।

Comments are closed.