ତୃତୀୟ ଟି-୨୦: ଇଂଲଣ୍ଡ ଠାରୁ ୮ ଓ୍ବିକେଟରେ ହାରିଲା ଭାରତ

ଅହମ୍ମଦାବାଦ – ଅଧିନାୟକ ବିରାଟ କୋହଲି ଏକାକୀ ଲଢିଥିଲେ ବି ଟପ୍ ଅର୍ଡର ବ୍ୟାଟିଂ ବିଫଳତା ଯୋଗୁଁ ଭାରତ ଏଠାରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି୨୦ରେ ଇଂଲଣ୍ଡ ଠାରୁ ୮ ୱିକେଟରେ ପରାସ୍ତ ହୋଇଛି । ଅନ୍ୟପକ୍ଷେ ଏହି ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ କୋହଲିଙ୍କ କ୍ରମାଗତ ଦ୍ୱିତୀୟ ତଥା ଅପରାଜିତ ଅର୍ଦ୍ଧଶତକ ବଳରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । କୋହଲି ଦଳ ତରଫରୁ ପୁଣି ସର୍ବୋଚ୍ଚ ସ୍କୋରର ଭାବେ ୪୬ ବଲରେ ୮ଟି ଚୌକା ଓ ୪ଟି ଛକା ସହାୟତରେ ଅପରାଜିତ ୭୭ ରନ୍ କରିଥିଲେ । ଭାରତ ପ୍ରଦତ୍ତ ୧୫୭ ରନର ବିଜୟଲକ୍ଷ୍ୟକୁ ଇଂଲଣ୍ଡ ୧୦ଟି ବଲ ବାକିଥାଇ ହାସଲ କରିନେଇଥିଲା । ଦଳ ତରଫରୁ ଓପନର ଜୋସ ବଟଲର ସର୍ବାଧିକ ୮୩ ରନ୍ କରି ଅପରାଜିତ ରହିଥିବା ବେଳେ ଜନି ବେୟାରଷ୍ଟୋ ୪୦ ରନ୍ କରି ନଟ୍ ଆଉଟ୍ ଥିଲେ । ବଟଲରଙ୍କ ଇନିଂସରେ ୫ଟି ଚୌକା ଓ ୪ଟି ଛକା ସାମିଲ ଥିଲା ।

ଇଂଲଣ୍ଡ ଶୀଘ୍ର ଜାସନ ରୟ (୯) ଓ ଡେବିଡ୍ ମାଲାନ (୧୮)ଙ୍କ ୱିକେଟ୍ ହରାଇଥିଲେ ମଧ୍ୟ ବଟଲର ଓ ବେୟାରଷ୍ଟୋ ଔପଚାରିକତା ପୂରଣ କରିଥିଲେ । ଭାରତ ତରଫରୁ ୟୁଜବେନ୍ଦ୍ର ଚହଲ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପୁଣିଥରେ ପ୍ରାରମ୍ଭିକ ଝଟକା ଲାଗିଥିଲା। ଓପ୍ନର ଲୋକେଶ ରାହୁଲ କ୍ରମାଗତ ତୃତୀୟ ମ୍ୟାଚରେ ଫେଲ୍ ମାରିଛନ୍ତି। ପୂର୍ବ ମ୍ୟାଚ୍ ଭଳି ରାହୁଲ ଆଜି ମଧ୍ୟ ଖାତା ଖୋଲିପାରିନଥିଲେ। ତାଙ୍କୁ ମାର୍କ ଉଡ୍ କ୍ଲିନ୍ ବୋଲ୍ଡ କରିଥିଲେ। କମବ୍ୟାକ୍ କରିଥିବା ରୋହିତ୍ ଶର୍ମା ୧୫ ରନ୍ କରି ଆଉଟ୍ ହୋଇଥିଲେ।

ଡେବ୍ୟୁ ମ୍ୟାଚରେ ମ୍ୟାନ୍ ଅଫ୍ ମ୍ୟାଚ୍ ହୋଇଥିବା ଈଶାନ୍ କିଶନ (୪) ନିରାଶ କରିଥିଲେ। କ୍ରିସ୍ ଜୋର୍ଡାନଙ୍କ ବାଉନ୍ସରକୁ ଛକା ମାରିବା ପ୍ରୟାସରେ ଈଶାନ୍ ୱିକେଟକିପର ଜୋଶ୍ ବଟଲରଙ୍କ ଦ୍ୱାରା ଧରା ପଡ଼ିଥିଲେ। ଋଷଭ ପନ୍ତ ପୁଣିଥରେ ଭଲ ଆରମ୍ଭ କରିଥିଲେ, କିନ୍ତୁ ବିରାଟ୍ କୋହଲିଙ୍କ ସହ ଭୁଲ୍ ବୁଝାମଣା କାରଣରୁ ସେ ରନଆଉଟ୍ ହୋଇଥିଲେ। ପନ୍ତ ୨୦ ବଲରେ ୩ ଚୌକା ସହ ୨୫ ରନ୍ କରିଥିଲେ। ଶ୍ରେୟସ ଆୟର୍ ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ। ସେ ୯ ରନ୍ କରି ମାର୍କ ଉଡଙ୍କ ବଲରେ ଡେୱିଡ୍ ମଲାନଙ୍କୁ କ୍ୟାଚ୍ ଦେଇ ବସିଥିଲେ।

ଭାରତର ସ୍କୋର ୫ ୱିକେଟରେ ୮୬ ରନରେ ଥିବା ବେଳେ କୋହଲିଙ୍କୁ ସାଥ୍ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଦୁହେଁ ଷଷ୍ଠ ୱିକେଟ୍‌ ପାଇଁ ୭୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତକୁ ୧୫୬ ରନର ସମ୍ମାନଜନକ ସ୍କୋରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ୧୫ ବଲ୍ ଖେଳି ୨ ଚୌକା ସହ ୧୭ ରନ୍ କରି ଆଉଟ୍ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ସର୍ବାଧିକ ୩ଟି ଓ ଜୋର୍ଡାନ୍ ୨ଟି ୱିକେଟ୍‌ ନେଇଥିଲେ।

Comments are closed.