ଦେଶରେ ବଢ଼ୁଛି ସାଇବର କ୍ରାଇମ୍‌, ତିନି ବର୍ଷରେ ରୁଜୁ ହୋଇଛି ୯୩,୦୦୦ ସାଇବର କ୍ରାଇମ୍ ମାମଲା

ନୂଆଦିଲ୍ଲୀ – ଦେଶରେ ବଢ଼ି ଚାଲିଛି ସାଇବର କ୍ରାଇମ୍ । ୨୦୧୭ରୁ ୨୦୧୯ ମଧ୍ୟରେ ଦେଶରେ ୯୩ ହଜାରରୁ ଊର୍ଦ୍ଧ୍ୱ ସାଇବର କ୍ରାଇମ୍ ମାମଲା ରୁଜୁ ହୋଇଥିଲା । ଏହି ସବୁ ସାଇବର କ୍ରାଇମ୍ ଯୌନ ନିର୍ଯାତନା, ଠକେଇ ଓ ଘୃଣା ଉଦ୍ରେକକାରୀ ତଥ୍ୟର ପ୍ରଚାର ସମ୍ବନ୍ଧୀୟ ମାମଲା ଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ରାଜ୍ୟସଭାରେ ଏହି ତଥ୍ୟ ରଖାଯାଇଛି ।
ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିସନ ରେଡୀ କହିଛନ୍ତି ଯେ, ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ସହ ସାଇବର କ୍ରାଇମ୍ ମଧ୍ୟ ବଢ଼ିଛି । ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ (ଏନ୍‌ସିଆରବି) ତଥ୍ୟ ଅନୁସାରେ, ୨୦୧୭ରେ ୨୧,୭୯୬ ସାଇବର କ୍ରାଇମ୍ ମାମଲା ରୁଜୁ ହୋଇଥିଲ । ୨୦୧୮ରେ ଏହି ସଂଖ୍ୟା ବଢ଼ି ୨୭,୨୪୮ ହୋଇଥିଲା । ୨୦୧୯ରେ ଦେଶରେ ସାଇବର କ୍ରାଇମ୍ ମାମଲା ଦ୍ୱିଗୁଣିତ ହୋଇଥିଲା । ସେହିବର୍ଷ ଦେଶବ୍ୟାପୀ ମୋଟ ୪୪,୫୪୬ ସାଇବର କ୍ରାଇମ୍ ମାମଲା ରୁଜୁ ହୋଇଥିଲା ।

ଯୌନ ନିର୍ଯାତନା, ଠକେଇ, ପ୍ରତିଶୋଧ ଲକ୍ଷ୍ୟ, ଘୃଣା ସୃଷ୍ଟି କରିବା, ପାଇରେସି ଓ ତଥ୍ୟ ଚୋରାଇବା ଉଦ୍ଦେଶ୍ୟରେ ସାଇବର କ୍ରାଇମ୍ ହେଉଛି ବୋଲି ଏକ ପ୍ରଶ୍ନର ଜବାବରେ ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କସନ ରେଡୀ ଲିଖିତ ଉତ୍ତରରେ ପ୍ରକାଶ କରିଛନ୍ତି ।

Comments are closed.