ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଭାବେ ନାମିତ ହେଲା ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍‌, ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟିତ

ଅହମ୍ମଦାବାଦ – ବିଶ୍ୱର ସବୁଠାରୁ ବୃହତ୍ ଷ୍ଟାଡିୟମ ମୋଟେରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି । ମୋଟେରା ଏବେ ‘ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌’ ଭାବେ ଜଣାଯିବ । ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ପିଙ୍କ୍ ବଲ୍ ଟେଷ୍ଟ ବୁଧବାର ଠାରୁ ଏଠାରେ ଆରମ୍ଭ ହୋଇଛି ।

ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ଷ୍ଟାଡିୟମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ଏହି ଷ୍ଟାଡିୟମରେ ଏକ ଲକ୍ଷ ୧୦ ହଜାର ଦର୍ଶକ ବସିବା କ୍ଷମତା ରହିଛି । ଦର୍ଶକ କ୍ଷମତା ଦୃଷ୍ଟିରୁ ଏହି ଷ୍ଟାଡିୟମ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍‌ସିଜି)କୁ ପଛରେ ପକାଇଛି । ଏଥିରେ ସବୁ ଅତ୍ୟାଧୁନିକ ସୁବିଧା ରହିଛି ।

ଗୁଜରାଟ କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଥିବା ବେଳେ ମୋଦି ଏହି ଗ୍ରାଉଣ୍ଡର ପରିକଳ୍ପନା କରିଥିଲେ । ୬୩ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଷ୍ଟାଡିୟମରେ ଚାରିଟି ଡ୍ରେସିଂ ରୁମ୍ ସହ ତିନୋଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ରହିଛି । ଏଠାରେ ଉଭୟ ଇନ୍‌ଡୋର ଓ ଆଉଟ୍‌ଡୋର ଅଭ୍ୟାସ ସୁବିଧା ରହିଛି । ଏଠାରେ ଡ୍ରେନେଜ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ବର୍ଷା ହେଲେ ବି ଅଧଘଣ୍ଟା ମଧ୍ୟରେ ଗ୍ରାଉଣ୍ଡକୁ ଶୁଖାଯାଇ ପାରିବ । ଦେଶର ପ୍ରଥମ ଷ୍ଟାଡିୟମ୍ ଭାବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏଲ୍‌ଇଡି ଲାଇଟ୍ ବ୍ୟବହାର ହେବ ।

ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଉଦଘାଟନ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ବିସିସିଆଇ ସଚିବ ଜୟ ଶାହା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସର୍ଦ୍ଦାର ପଟେଲ୍ ସ୍ପୋର୍ଟ୍ସ କନକ୍ଲେଭର ଭୂମି ପୂଜନ ବି ହୋଇଥିଲା । ସର୍ଦ୍ଦାର ପଟେଲ୍ ସ୍ପୋର୍ଟ୍ସ କନକ୍ଲେଭରେ ସବୁ କ୍ରୀଡ଼ା ଇଭେଣ୍ଟ୍ ପାଇଁ ଭିତ୍ତିଭୂମି ରହିବ । ଏବଂ ଆଥ୍‌ଲେଟମାନେ ଏଠାରେ ସବୁ ଖେଳ ପାଇଁ ଟ୍ରେନିଂ ସୁବିଧା ମଧ୍ୟ ପାଇବେ ବୋଲି ଅମିତ ଶାହା କହିଛନ୍ତି ।

Comments are closed.