ମାର୍ଚ୍ଚ ୧ରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ

ନୂଆଦିଲ୍ଲୀ – କୋଭିଡ୍ ବିରୋଧରେ ଦେଶରେ ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସହ ବିଭିନ୍ନ ଗମ୍ଭୀର ରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଟିକା ଲଗାଯିବ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏହି ସୂଚନା ଦେଇଛନ୍ତି ।

ଦଶ ହଜାର ସରକାରୀ ଏବଂ ୨୦ ହଜାର ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିବ । ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ମାଗଣା ହେବ । ତେବେ ବେସରକାରୀ ତଥା ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ପାଇଁ ପଇସା ଲାଗିବ । ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଶୁଳ୍କ କେତେ ହେବ ତାହା କିଛି ଦିନ ମଧ୍ୟରେ ଧାର୍ଯ୍ୟ ହେବ ବୋଲି ଜାଭଡେକର କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଲଗାଯିବ । ଦେଶରେ ଜାନୁୟାରୀ ୧୬ରୁ କୋଭିଡ୍ ବିରୋଧୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସବୁ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ଏହି ପର୍ଯ୍ୟାୟରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଗଲାଣି । ଟିକାକରଣ ଅଭିଯାନରେ ବର୍ତ୍ତମାନ ଦୁଇଟି ଟିକା ‘କୋଭିସିଲ୍ଡ’ ଓ କୋଭାକ୍ସିନ’ର ବ୍ୟବହାର ପାଇଁ ଅନୁମତି ମିଳିଛି ।

Comments are closed.