କରୋନା ସଂକ୍ରମଣ ବଢ଼ୁଥିବା ୧୦ଟି ରାଜ୍ୟକୁ ଉଚ୍ଚସ୍ତରୀୟ ଟିମ୍ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ – ଭାରତରେ କିଛି ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୧୦ଟି ରାଜ୍ୟକୁ ଉଚ୍ଚସ୍ତରୀୟ ଟିମ୍ ପଠାଇଛି । ଏହି ରାଜ୍ୟ ଗୁଡିକ ହେଲେ ମହାରାଷ୍ଟ୍ର, ରେକଳ, ଛତିଶଗଡ଼, ମଧ୍ୟ ପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କାଶ୍ମୀର ।

ଏହି ଉଚ୍ଚସ୍ତରୀୟ ଟିମ୍ ତିନି ସଦସ୍ୟ ବିଶିଷ୍ଟ ହେବ ଏବଂ ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ବି ରହିବେ । ଜଣେ ଯୁଗ୍ମ ସଚିବ ସ୍ତରର ଅଧିକାରୀ ଏହି ଟିମ୍‌ର ନେତୃତ୍ୱ ନେବେ । କେନ୍ଦ୍ରର ଏହି ଉଚ୍ଚସ୍ତରୀୟ ଟିମ୍ ପ୍ରଭାବିତ ରାଜ୍ୟଗୁଡିକରେ କରୋନା ସଂକ୍ରମଣ କାହିଁକି ବଢ଼ୁଛି ସେନେଇ ଯାଞ୍ଚ୍ କରିବା ସହ ସମ୍ପୃକ୍ତ ରାଜ୍ୟଗୁଡିକର ଅଧିକାରୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଉପରେ କାର୍ଯ୍ୟ କରିବ ।

କରୋନା ସଂକ୍ରମଣର ଲେଉଟାଣି ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ସମ୍ପୃକ୍ତ ଜିଲ୍ଲା ଅଧିକାରୀଙ୍କୁ ସ୍ଥିତିର ନିୟମିତ ସମୀକ୍ଷା କରି ତଦ୍‌ନୁସାରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ପ୍ରଭାବିତ ରାଜ୍ୟ ଗୁଡିକର କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ଏନେଇ କେନ୍ଦ୍ର ତରଫରୁ ସମ୍ପୃକ୍ତ ରାଜ୍ୟ ମାନଙ୍କୁ ଅବଗତ କରାଯାଇଛି । ତା’ଛଡ଼ା ଏହି ସବୁ ରାଜ୍ୟରେ କୋଭିଡ୍ ଟେଷ୍ଟ ହାର ମଧ୍ୟ ହ୍ରାସ ପାଇଛି ।

Comments are closed.