ନରୱେରେ କୋଭିଡ୍ ଟିକା ନେବା ପରେ ୨୩ ଜଣଙ୍କ ମୃତ୍ୟୁ

ଅସ୍ଲୋ – ବିଶ୍ୱର ଅନେକ ସ୍ଥାନରେ ଏବେ କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନ ଚାଲିଛି । ଭାରତରେ ମଧ୍ୟ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଠାରୁ ଆରମ୍ଭ ହୋଇଛି । କରୋନା ବିରୋଧରେ ଟିକାକରଣ ମାଧ୍ୟମରେ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ କିଛି ଟିକାର ସୁରକ୍ଷା ନେଇ ପ୍ରଶ୍ନ ବି ଉଠିଛି । ନରୱେରୁ ଏବେ ଏକ ଚିନ୍ତାଜନକ ଖବର ଆସିଛି । ନରୱେରେ ଟିକା ନେବାର କିଛି ମିନିଟ୍ ପରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ନରୱେରେ ଆମେରିକୀୟ କମ୍ପାନୀ ଫାଇଜର ଦ୍ୱାରା ପ୍ରସ୍ତୁତ ଟିକା ବ୍ୟବହାର କରାଯାଉଛି । ନରୱେ ସରକାର କହିଛନ୍ତି ଯେ, ଏହି ଟିକା ନେବା ପରେ ୨୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ଲୋକ ଅଛନ୍ତି । ମୃତକ ମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୮୦-୯୦ ବର୍ଷ ହେବ ।

ନରୱେରେ ଡିସେମ୍ବରରୁ ଟିକାକରଣ ଆରମ୍ଭ ହୋଇଥିଲା । ଏଯାବତ ଏହି ଦେଶରେ ୩୩,୦୦୦ ଲୋକଙ୍କୁ ଫାଇଜର ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଟିକାକରଣ ପରେ ଲୋକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ବୟସ୍କ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଫାଇଜର ଟିକା ନ ଦେବାକୁ ନରୱେ ସରକାର ପରାମର୍ଶ ଦେଇଛନ୍ତି । ଏହି ବର୍ଗର ଲୋକଙ୍କ ପାଇଁ ଫାଇଜର ଟିକା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ନରୱେ ସରକାର କହିଛନ୍ତି । ଟିକା ନେବାପରେ ପ୍ରାଣ ହରାଇଥିବା ୨୩ ଲୋକଙ୍କ ମଧ୍ୟରୁ ୧୩ ଜଣଙ୍କ ପୋଷ୍ଟମର୍ଟମ୍ କରାଯାଇଛି । ପୋଷ୍ଟମର୍ଟମ୍ ରିପୋର୍ଟରୁ ସେମାନଙ୍କ ମୃତ୍ୟୁ ଟିକା ଜନିତ ପାଶ୍ୱର୍ ପ୍ରତିକ୍ରିୟାରୁ ବୋଲି କୁହାଯାଇଛି । ବିଶେଷକରି ବୟସ୍କ ଓ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଟିକା ଜନିତ ପାଶ୍ୱର୍ପ୍ରତିକ୍ରିୟା ବିପଦ ଜନକ ହୋଇପାରେ । କିନ୍ତୁ ଯୁବବର୍ଗ ଓ ସୁସ୍ଥ ଲୋକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ବୋଲି ନରୱେ ସରକାର କହିଛନ୍ତି ।

Comments are closed.