ନୂଆ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ, ନିଜ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ ବୋବଡେଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ – ଆଉ ମାସକ ପରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍‌ଏ ବୋବଡେ ଅବସର ଗ୍ରହଣ କରିବେ । ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ନିଜ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ କେନ୍ଦ୍ର ସରକାର ପ୍ରଧାନ ବିଚାରପତି ବୋବଡେଙ୍କୁ କହିଛନ୍ତି ।

କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶୁକ୍ରବାର ଜଷ୍ଟିସ୍ ବୋବଡେଙ୍କ ନିକଟକୁ ପତ୍ର ଲେଖି ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ପ୍ରସ୍ତାବ ଲୋଡିଛନ୍ତି । ବୋବଡେଙ୍କ କାର୍ଯ୍ୟକାଳ ଏପ୍ରିଲ ୨୩ରେ ସରୁଛି ।

ପ୍ରଚଳିତ ପରମ୍ପରା ଅନୁସାରେ ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ପଦ ପାଇଁ ନିଯୁକ୍ତ କରାଯାଏ । ଏଥିପାଇଁ ଉଚିତ ସମୟରେ ବିଦାୟୀ ପ୍ରଧାନ ବିଚାରପତିଙ୍କ ସୁପାରିସ ଲୋଡିବେ ଆଇନ ମନ୍ତ୍ରୀ । ବିଦାୟୀ ପ୍ରଧାନ ବିଚାରପତିଙ୍କ ସୁପାରିସକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯିବ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ କରିବେ ।

Comments are closed.