ପଞ୍ଜାବରେ ଜିଓର ୧୫୦୦ ମୋବାଇଲ୍ ଟାଓ୍ବାର ଭାଙ୍ଗିଲେ ଆନ୍ଦୋଳନରତ ଚାଷୀ, କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଅମରିନ୍ଦରଙ୍କ ଚେତାବନୀ

ଚଣ୍ଡିଗଡ଼ – ପଞ୍ଜାବରେ ଚାଷୀ ଏବଂ ସେମାନଙ୍କ ସମର୍ଥକମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓର ଟାୱାରକୁ ଟାର୍ଗେଟ କରିଛନ୍ତି। ଏହି କାରଣରୁ ରାଜ୍ୟରେ କମ୍ପାନୀର ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଭାବିତ ହୋଇଛି । ଆନ୍ଦୋଳନକାରୀମାନେ ଜିଓର ପ୍ରାୟ ୧୫୦୦ ମୋବାଇଲ୍ ଟାୱାରରେ ଭଙ୍ଗାରୁଜା କରିବା ସହ ବିଦ୍ୟୁତ୍ ସଂଯୋଗ କାଟି ଦେଇଛନ୍ତି ।
ପଞ୍ଜାବରେ ଜିଓର ପ୍ରାୟ ୯୦୦୦ ମୋବାଇଲ୍ ଟାୱାର ଅଛି | ଆନ୍ଦୋଳନକାରୀ ଗୋଷ୍ଠୀ କିଛି ଟାୱାରର ଫାଇବର କେବୁଲ ମଧ୍ୟ କାଟି ଦେଇଛନ୍ତି |
ମୋବାଇଲ୍ ଟାୱାରକୁ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ଦିଆଯିବ ନାହିଁ କି
ଆଇନକୁ ନିଜ ହାତକୁ ନେବାକୁ କାହାକୁ ଅନୁମତି ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସିଂ କହିଛନ୍ତି ଯେ ସେ ଏ ବିଷୟରେ ଅନେକ ଥର ଲୋକଙ୍କୁ ନିବେଦନ କରିଛନ୍ତି । କିନ୍ତୁ ଏହାକୁ ଅଣଦେଖା କରାଯାଇଛି। ତେଣୁ ତାଙ୍କୁ କଡ଼ା ଆଭିମୁଖ୍ୟକୁ ଗ୍ରହଣ କରିବାକୁ ପଡିବ ବୋଲି ଅମରିନ୍ଦର କହିଛନ୍ତି ।
ଯଦି ମୋବାଇଲ୍ ସେବା ପ୍ରଭାବିତ ହୁଏ, ତେବେ ଏହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ । ତାଙ୍କ ସରକାର କେନ୍ଦ୍ରର କଳା କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକୁ ବନ୍ଦ କରି ନାହାଁନ୍ତି। କିନ୍ତୁ ସମ୍ପତ୍ତି ନଷ୍ଟ କରିବା ଏବଂ ନାଗରିକଙ୍କୁ କୌଣସି ପ୍ରକାର ଅସୁବିଧାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।
ମୋବାଇଲ୍ ଟାୱାର ଭଙ୍ଗାରୁଜା ଭିତରେ କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ରଖିବାକୁ କୃଷକ ସଂଗଠନ ମାନେ ଚାଷୀଙ୍କୁ ଅନୁରୋଧ କରିଛନ୍ତି ।

Comments are closed.