ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ, ହତ୍ୟା ଧମକ ମିଳୁଥିବା ଅଭିଯୋଗ କଲେ

ନୂଆଦିଲ୍ଲୀ – ‘ବାବା କା ଢ଼ାବା’ ମାଲିକ କାନ୍ତା ପ୍ରସାଦ ପୁଣି ଚର୍ଚ୍ଚାରେ ରହିଛନ୍ତି । କରୋନା ପାଇଁ ତାଙ୍କ ଢାବାକୁ ଗ୍ରାହକ ଆସୁନାହାନ୍ତି ବୋଲି କାନ୍ତା ପ୍ରସାଦ କାନ୍ଦି କାନ୍ଦି କହୁଥିବା ଏକ ଭିଡିଓ କିଛି ମାସ ତଳେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା । ସେ ଓ ତାଙ୍କ ‘ବାବା କା ଢ଼ାବା’ ରାତାରାତି ଏକ ପରିଚିତ ନାମ ପାଲଟି ଯାଇଥିଲା । ଏବେ ପୁଣି କାନ୍ତା ପ୍ରସାଦଙ୍କ ଆଖିରେ ଲୁହ ଝରୁଛି, କିନ୍ତୁ ଅନ୍ୟ ଏକ କାରଣରୁ । ତାଙ୍କୁ ହତ୍ୟା ଧମକ ମିଳୁଛି ବୋଲି କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମେ ଡିସେମ୍ବର ୮ରେ ତାଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନ କରି ତାଙ୍କ ଦୋକାନ ଜାଳିଦେବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ପୁଣି ଡିସେମ୍ବର ୧୪ରେ ତାଙ୍କୁ ସେହିଭଳି ଧମକ ମିଳିଥିଲା । ଏନେଇ ସେ ଦିଲ୍ଲୀର ମାଲବୀୟ ନଗର ଥାନାରେ ଅଭିଯୋଗ କରିଛନ୍ତି । କାନ୍ତା କହିଛନ୍ତି ଯେ ଅଚାନକ ତାଙ୍କ ଲୋକପ୍ରିୟତାରେ କିଛି ଲୋକ ଇର୍ଷାପରାୟଣ ହୋଇ ଏଭଳି କରୁଛନ୍ତି । ତେବେ ଆଗରୁ କେବେ କାହା ସହିତ ତାଙ୍କର କୌଣସି ପ୍ରକାର ଶତ୍ରୁତା ନଥିଲା ବୋଲି ସେ କହିଛନ୍ତି ।
ହତ୍ୟା ଧମକ ପଛରେ ୟୁଟ୍ୟୁବର ଗୌରବ ୱାସନଙ୍କ ହାତ ରହିଛି ବୋଲି କାନ୍ତା ପ୍ରସାଦଙ୍କ ଓକିଲ ସନ୍ଦେହ କରୁଛନ୍ତି । ତେବେ ଏହାର କୌଣସି ପ୍ରମାଣ କାନ୍ତାଙ୍କ ପାଖରେ ନାହିଁ । ସୂଚନାଯୋଗ୍ୟ ଯେ, ଗୌରବ ୱାସନ ହିଁ ପ୍ରଥମେ କାନ୍ତା ପ୍ରସାଦଙ୍କ ଦୁର୍ଦ୍ଦଶାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । କାନ୍ତା ପ୍ରସାଦଙ୍କୁ ଯେଉଁ ସବୁ ଆର୍ଥିକ ସହାୟତା ମିଳୁଥିଲା ସେ ସବୁର ୱାସନ ଦେଖାଶୁଣା ବି କରୁଥିଲେ । ନିକଟରେ ଅଭିଯୋଗ ହୋଇଥିଲା ଯେ, କାନ୍ତାଙ୍କୁ ମିଳୁଥିବା ଆର୍ଥିକ ସହାୟତା ୱାସନ ହଡପ କରିଛନ୍ତି ।

Comments are closed.