ପ୍ରଥମ ଥର ଦେଢ଼ ଲକ୍ଷ ଟପିଲା କରୋନା ସଂକ୍ରମଣ, ଆଉ ୮୩୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଭାରତରେ କରୋନା ବିସ୍ଫୋରଣ ଜାରି ରହିଛି । ଚଳିତ ମାସ ଆରମ୍ଭରୁ ଦୈନିକ ସଂକ୍ରମଣରେ ନୂଆ ରେକର୍ଡ ହେଉଛି । ଗତ ୨୪ ଘଣ୍ଟାରେ ପୁଣି ରେକର୍ଡ ଦୈନିକ ମାମଲା ଆସିଛି । ପ୍ରଥମ ଥର ପାଇଁ ଭାରତରେ ଦୈନିକ ମାମଲା ଦେଢ଼ ଲକ୍ଷ ଟପିଛି । ଦିନକରେ ଭାରତରେ ୧୫୨,୮୭୯ ରୋଗୀ ଚିହ୍ନଟ ହୋଇଛନ୍ତି ।

ଆମେରିକା ପରେ ଦ୍ୱିତୀୟ ଦେଶ ଭାବେ ଭାରତରେ ଦୈନିକ ମାମଲା ୧.୫ ଲକ୍ଷ ଟପିଛି ।
କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ଦିନକରେ ଏହି ରୋଗରେ ଆଉ ୮୩୯ ଜଣଙ୍କ ମୃତ୍ୟୁ ହୋଇଛି, ଯାହା ଅକ୍ଟୋବର ପରେ ସର୍ବାଧିକ । ଏହି ରୋଗରୁ ଦିନକ ମଧ୍ୟରେ ୯୦,୫୮୪ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ କ୍ରମାଗତ ଷଷ୍ଠ ଦିନ ଧରି ଲକ୍ଷେରୁ ଊର୍ଦ୍ଧ୍ୱ ମାମଲା ଆସିଥିବା ବେଳେ ସଂକ୍ରମଣ ପ୍ରଥମ ଥର ଦେଢ଼ ଲକ୍ଷ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଏବେ ମୋଟ କରୋନା ମାମଲା ୧କୋଟି ୩୩ ଲକ୍ଷ ୫୮ ହଜାର ୮୦୫କୁ ବୃଦ୍ଧି ପାଇଛି । ଏାଯାବତ ଏହି ରୋଗରେ ୧ଲକ୍ଷ ୬୯ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୨୦ ଲକ୍ଷ ୮୧ ହଜାର ୪୪୩ ଜଣ ସୁସ୍ଥ ହୋଇଛନ୍ତି । ଦେଶର ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଉର୍ଦ୍ଧ୍ୱମୁଖୀ ହେବାରେ ଲାଗିଛି । ଶନିବାର ସୁଦ୍ଧା ଦେଶରେ ୧୦ ଲକ୍ଷ ୪୬ ହଜାର ୬୩୧ ସକ୍ରିୟ ରୋଗୀ ଅଛନ୍ତି ।

ମହାରାଷ୍ଟ୍ରରେ ସ୍ଥିତି ବେଶ୍ ସଙ୍ଗୀନ ରହିଥିବା ବେଳେ ଛତିଶଗଡ଼, ବିହାରା, ଗୁଜରାଟ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି ।

କରୋନା ମାମଲାର ବିସ୍ଫୋରକ ସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଠାରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ଟିକା ଉତ୍ସବ’ ପାଳନ କରାଯିବ । ତେବେ ମହାରାଷ୍ଟ୍ର ଓ ଓଡ଼ିଶା ସମେତ ଅଧିକାଂଶ ରାଜ୍ୟ ଟିକାର ଅଭାବ ନେଇ ଅଭିଯୋଗ କରିଛନ୍ତି । ଏଭଳି ସ୍ଥଳେ ‘ଟିକା ଉତ୍ସବ’ କେମିତି ପାଳନ କରାଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.