ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବଜେଟ୍ ହେବ ପେପରଲେସ୍

ନୂଆଦିଲ୍ଲୀ – ଏଥର କେନ୍ଦ୍ରୀୟ ବଜେଟ୍ ସମ୍ପୂର୍ଣ୍ଣ କାଗଜବିହୀନ ବା ପେପରଲେସ୍ ହେବ । କୋଭିଡ୍‌-୧୯ କାରଣରୁ ଏଥର ବଜେଟ୍ କାଗଜପତ୍ର ଛପା ଯିବନାହିଁ । ସ୍ୱାଧୀନୋତ୍ତର ଭାରତରେ ପ୍ରଥମ ଥର ପାଇଁ କାଗଜବିହୀନ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ । କରୋନା ସଂକ୍ରମଣ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ।

ବଜେଟ୍ ଦସ୍ତାବିଜ ଛାପିବା ପାଇଁ ବହୁ ଲୋକ ଦରକାର । ପ୍ରତିବର୍ଷ କେନ୍ଦୀୟ ବଜେଟ୍ ଦସ୍ତାବିଜ ଅର୍ଥ ମନ୍ତ୍ରଣାଳୟର ପ୍ରେସ୍ ରେ ଛପା ଯାଇଥାଏ । ଏହି କାର୍ଯ୍ୟରେ ପ୍ରାୟ ୧୦୦ ଲୋକ ସାମିଲ ହୋଇଥାଆନ୍ତି । ବଜେଟ୍ ଦସ୍ତାବିଜ୍ ଛପାଯିବା ଠାରୁ ସିଲ୍ କରାଯିବା ଏବଂ ବଜେଟ୍ ଉପସ୍ଥାପନ ଦିନ ତାକୁ ସଂସଦକୁ ନିଆଯିବା ପର୍ଯ୍ୟନ୍ତ ପ୍ରାୟ ୧୫ ଦିନ ଧରି ଏହିସବୁ କାର୍ଯ୍ୟରେ ନିୟୋଜିତ ଲୋକ ଏକାଠି ରହିବାକୁ ପଡିଥାଏ । ତେବେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଜେଟ୍ ଦସ୍ତାବିଜ ନ ଛାପିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥର ସଂସଦରେ ବଜେଟ୍‌ର ଡିଜିଟାଲ ବା ସଫ୍ଟ କପି ଉପସ୍ଥାପନ କରାଯିବ । ସଂସଦର ସବୁ ସଦସ୍ୟଙ୍କୁ ବଜେଟର ସଫ୍ଟକପି ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି ।

ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୨୯ରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ରୀୟ ବଜେଟ୍ ଫେବୃୟାରୀ ୧ରେ ଉପସ୍ଥାପନ କରାଯିବ । ବଜେଟ୍ ଅଧିବେନଶ ଏପ୍ରିଲ ୮ ଯାଏଁ ଚାଲିବ । ସଂସଦର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୯ରୁ ଫେବୃୟାରୀ ୨୫ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ଏପ୍ରିଲ ୮ରେ ଶେଷ ହେବ । କରୋନା ପ୍ରକୋପ ଦୃଷ୍ଟିରୁ ସଂସଦର ଶୀତକାଳୀନ ଅଧିବେଶନ ହୋଇନଥିଲା ।

Comments are closed.