ପ୍ରଧାନମନ୍ତ୍ରୀଙ୍କ ମାଆ ନେଲେ କରୋନା ଟିକା

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ୍ ଆଜି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ୯୫ ବର୍ଷୀୟା ହୀରାବେନ ପ୍ରଧାନମନ୍ତ୍ରୀଙ୍କ ସାନଭାଇ ପଙ୍କଜ ମୋଦିଙ୍କ ସହ ଗାନ୍ଧିନଗର ନିକଟସ୍ଥ ରେସାନ ଗ୍ରାମରେ ରୁହନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ତାଙ୍କ ମାଆ ଆଜି କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବାରୁ ସେ ଖୁସିି । ଏଥିସହ ସେ ଦେଶର ସବୁ ଲୋକଙ୍କୁ ମଧ୍ୟ ନିଜେ ଟିକା ନେବା ସହ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ବି ଟିକା ଲଗାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଅପିଲ କରିଛନ୍ତି ।

ଦେଶରେ ସମ୍ପ୍ରତି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଜଟିଳ ରୋଗରେ ପୀଡିତ ୪୫-୬୦ ବୟସର ବ୍ୟକ୍ତିଙ୍କୁ ଟିକା ଲଗାଯାଉଛି । ଏଯାବତ୍ ଦେଶରେ ୨ କୋଟି ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି ।

Comments are closed.