ଫରେଷ୍ଟ ରେଞ୍ଜରଙ୍କୁ ଅସ୍ତ୍ର, ବୁଲେଟ୍ ପ୍ରୁଫ୍ ଜାକେଟ୍ ଯୋଗାଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ – ସଶସ୍ତ୍ର ବନ୍ୟଜନ୍ତୁ ଶିକାରୀ ଓ କାଠ ମାଫିଆଙ୍କ ଦ୍ୱାରା ଫରେଷ୍ଟ ରେଞ୍ଜରଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ପରେଷ୍ଟ ରେଞ୍ଜରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ଅସ୍ତ୍ର, ବୁଲେଟ୍ ପ୍ରୁଫ୍ ଜାକେଟ୍ ଓ ହେଲମେଟ୍ ଯୋଗାଇବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ସମ୍ଭାବନା ରହିଛି ।

ପ୍ରଧାନ ବିଚାରପତି ଏସ୍‌ଏ ବୋବଡେ, ଜଷ୍ଟିସ୍ ଏଏସ୍ ବୋପନ୍ନା ଓ ଜଷ୍ଟିସ୍ ବି.ରାମାସୁବ୍ରମନିୟମଙ୍କୁ ନେଇ ଖଣ୍ଡପୀଠ କହିଛନ୍ତି ଯେ, ଲକ୍ଷ ଲକ୍ଷ ଡଲାର ହଡ଼ପ କରି ନେଉଥିବା କାଠ ମାଫିଆ ଓ ଶିକାରୀଙ୍କ ଭଳି ବିପଜ୍ଜନକ ଗୋଷ୍ଠୀ ସହ ବନ ଅଧିକାରୀଙ୍କ ସାମ୍ନାସାମ୍ନି ହୋଇଥାଏ । ୨୫ ବର୍ଷର ପୁରୁଣା ଟିଏସ୍ ଗୋଦାବର୍ମନ ତରୁମୁଲ୍ଲପାଦଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହା କହିଛନ୍ତି । ଏହିଭଳି ଗମ୍ଭୀର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସାମିଲ କରାଯିବା ଉଚିତ । ଇଡିର ଏକ ସ୍ୱତନ୍ତ୍ର ବନ୍ୟପ୍ରାଣୀ ବିଭାଗ ରହିବା ଉଚିତ ବୋଲି କୋର୍ଟ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନଙ୍କ ଦ୍ୱାରା ଦାଖଲ ତଥ୍ୟର ମଧ୍ୟ କୋର୍ଟ ସଂଜ୍ଞାନ ନେଇଛନ୍ତି । ଦିୱାନ ଦାଖଲ କରିଥିବା ତଥ୍ୟ ଅନୁସାରେ ସାରା ବିଶ୍ୱରେ ଫରେଷ୍ଟ ରେଞ୍ଜରଙ୍କ ଉପରେ ହେଉଥିବା ଆକ୍ରମଣ ମାମଲା ମଧ୍ୟରୁ ଭାରତରେ ହିଁ ୩୮% ଏଭଳି ଘଟଣା ରେକର୍ଡ କରାଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ସବୁଠୁ ବେଶି ଏଭଳି ମାମଲା ସାମ୍ନାକୁ ଆସିଛି ।

Comments are closed.