ଫାଇଜର ଟିକା ନେବା ପରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ଲିସବନ – ଫାଇଜର ଟିକା ନେବା ପରେ ପର୍ତ୍ତୁଗାଲର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫାଇଜର ଟିକା ନେବାର ଦୁଇଦିନ ପରେ ମହିଳା ଜଣକଙ୍କ ମୃତ୍ୟୁ ହୋଇଥିଲା । ମୃତ ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି ୪୧ ବର୍ଷୀୟା ସୋନିଆ ଅସେବେଡୋ ଓ ସେ ଏକ କ୍ୟାନସର ହସ୍ପିଟାଲରେ କାମ କରୁଥିଲେ ।

ସୂଚନା ଅନୁଯାୟୀ, ସୋନିଆ କିଛି ଦିନ ତଳେ ଫାଇଜର ଟିକାର ଡୋଜ୍ ନେଇଥିଲେ । ଟିକା ନେବା ପରେ ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହୋଇନଥିଲା । ସୋନିଆଙ୍କ ବାପା ଅବିଲିୟୋ ଅସେବେଡୋଙ୍କ କହିବା ଅନୁସାରେ ଟିକା ନେବା ପରେ ତାଙ୍କ ଝିଅ ପୂରା ଠିକ୍ ଥିଲେ । ତାଙ୍କ ଝିଅର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ତେବେ ନୂଆବର୍ଷ ଦିନ ସୋନିଆଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ସୋନିଆ କାମ କରୁଥିବା ହସ୍ପିଟାଲ ମଧ୍ୟ ସ୍ପଷ୍ଟ କରିଛି ଯେ, ସେ ଫାଇଜର ଟିକା ଲଗାଇଥିଲେ । ଡିସେମ୍ବର ୩୦ରେ ସୋନିଆଙ୍କୁ ଟିକା ଦିଆଯାଇଥିଲା । ଟିକା ନେବାର ବହୁ ସମୟ ପରେ ମଧ୍ୟ ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଜନିତ ସମସ୍ୟା ଦେଖାଯାଇନଥିଲା । ତାଙ୍କର ଏଭଳି ଅଚାନକ ମୃତ୍ୟୁର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି ।

Comments are closed.