ବକ୍ସିଂ ଡେ ଟେଷ୍ଟ ପାଇଁ ଭାରତୀୟ ଏକାଦଶରେ ଗିଲ, ପନ୍ତ, ସିରାଜ ଓ ଜାଡେଜା ସାମିଲ

ମେଲବର୍ଣ୍ଣ, – ଶନିବାର ଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟ ପାଇଁ ଭାରତୀୟ ଦଳ ଏକାଦଶ ଘୋଷଣା ହୋଇଛି । ଦଳରେ ଚାରୋଟି ପରିବର୍ତ୍ତନ କରଯାଇଛି । ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସହ ରିଷଭ ପନ୍ତ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତୀୟ ଏକାଦଶରେ ସ୍ଥାନ ପାଇଛନ୍ତି ।

ଗିଲ ଓ ସିରାଜ ମେଲବର୍ଣ୍ଣରେ ନିଜ ଟେଷ୍ଟ ଡେବ୍ୟୁ କରିବେ । କେଏଲ ରାହୁଲ ମଧ୍ୟ ବକ୍ସିଂ ଡେ ଟେଷ୍ଟରେ ଖେଳିବେ ବୋଲି ଆଶା କରାଯାଉଥିଲା । ତେବେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ଖରାପ ଫର୍ମ ଦେଇ ଗତି କରୁଥିବା ପୃଥ୍ୱୀ ଶ’ ଓ ୱିକେଟକିପର ରିଦ୍ଧିମାନ ଶାହା ବାଦ୍ ପଡିଛନ୍ତି । ଶ’ଙ୍କ ସ୍ଥାନରେ ଗିଲ୍ ଟେଷ୍ଟ ପଦାର୍ପଣ କରିବାକୁ ଥିବା ବେଳେ ଶାହାଙ୍କ ବଦଳରେ ପନ୍ତ୍ ଖେଳିବେ । ଗିଲ୍ ଓ ପନ୍ତଙ୍କ ବ୍ୟତୀତ ଆଉ ଦୁଇଟି ପରିବର୍ତ୍ତନ ଭାରତ ବାଧ୍ୟବାଧକତାରେ କରିଛି । ଏହାର କାରଣ ହେଲା ଅଧିନାୟକ ବିରାଟ କୋହଲି ଓ ପେସର ମହମ୍ମଦ ସାମିଙ୍କ ଅନୁପସ୍ଥିତି ।

କୋହଲି ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଭାରତ ଫେରିଛନ୍ତି । ସେହିପରି ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ସାମି ମଧ୍ୟ ସିରିଜରୁ ବାଦ୍ ପଡିଛନ୍ତି । କୋହଲିଙ୍କ ସ୍ଥାନରେ ଜାଡେଜା ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ଥିବାବେଳେ ସାମିଙ୍କ ସ୍ଥାନରେ ସିରାଜ ନିଜ ଡେବ୍ୟୁ କରିବେ । କୋହଲିଙ୍କ ଅନୁପସ୍ଥିତିରେ ଅବଶିଷ୍ଟ ତିନୋଟି ଟେଷ୍ଟରେ ରାହାଣେ ଦଳର ନେତୃତ୍ୱ ନେବେ ।

ଆଡିଲେଡରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା । ଉକ୍ତ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନର ଅଲଆଉଟ୍ ହୋଇଯାଇଥିଲା । ନିଜ ଟେଷ୍ଟ ଇତିହାସରେ ଭାରତ ଏହା ଥିଲା ସର୍ବନିମ୍ନ ସ୍କୋର । ଅଷ୍ଟ୍ରେଲିଆ ଆଡିଲେଡ୍ ଟେଷ୍ଟକୁ ୮ ୱିକେଟର ଜିତିଥିଲା । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ସମ୍ପ୍ରତି ୧-୦ରେ ଅଗ୍ରଣୀ ରହିଛି ।

ଭାରତୀୟ ଏକାଦଶ: ମୟଙ୍କ ଅଗ୍ରୱାଲ, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା, ରିଷଭ ପନ୍ତ, ଆର.ଅଶ୍ୱିନ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ ।

Comments are closed.