ବନ୍ଧୁଙ୍କ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ: ସେନା ଅଧିକାରୀଙ୍କ ନାଁରେ ଏତଲା

କାନପୁର – ଜଣେ ସେନା ଅଧିକାରୀ ତାଙ୍କ ବନ୍ଧୁଙ୍କ ପତ୍ନୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ସ୍ୱାମୀ ଅଭିଯୁକ୍ତ ସେନା ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ କାଣ୍ଟୋନମେଣ୍ଟ୍ ପୋଲିସ୍ ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁସାରେ ତାଙ୍କ ପତ୍ନୀ ଜଣେ ରୁଷୀୟ ନାଗରିକ ଓ ସେ ଭାରତରେ ୧୦ ବର୍ଷ ହେଲା ରହିଆସୁଛନ୍ତି । ପଦୋନ୍ନତି ହେବା ପରେ ସେନା ଅଧିକାରୀ ଜଣକ ଗତ ଶନିବାର ଏକ ପାର୍ଟିର ଆୟାଜନ କରିଥିଲେ । ଏଥିପାଇଁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ସେ ନିମନ୍ତ୍ରଣ କରିଥିଲେ । ସେନା ଅଧିକାରୀ ଜଣକ ସ୍ଥାନୀୟ ଅଫିସର୍ସ ମେସ୍‌ରେ ଏହି ପାର୍ଟି ଦେଇଥିଲେ । ପାର୍ଟିରେ ତାଙ୍କ ବନ୍ଧୁଙ୍କୁ ସେ ଚେତାଶୂନ୍ୟ କରିବାକୁ ଡ୍ରିଙ୍କ୍‌ସରେ ନିଶା ମିଶାଇ ଦେଇଥିଲେ ।

ଏହାପରେ ସେ ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିଥିଲେ । ଏହାକୁ ବିରୋଧ କରିବାରୁ ସେ ଉକ୍ତ ମହିଳାଙ୍କୁ ମାଡ଼ ମାରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଘଟଣା ପରଠୁ ଅଭିଯୁକ୍ତ ସେନା ଅଧିକାରୀ ଫେରାର ଅଛନ୍ତି । ପୋଲିସ୍ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ବୋଲି କାନପୁର ଏସ୍‌ପି ରାଜକୁମାର ଅଗ୍ରୱାଲ କହିଛନ୍ତି ।

Comments are closed.