ଆନନ୍ଦଙ୍କ ଉପରେ ହେବ ବାୟୋପିକ୍

ମୁମ୍ବାଇ – ରୁଷର ଆଧିପତ୍ୟ ଶେଷ କରି ଚେସ୍ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶ୍ୱନାଥନ ଆନନ୍ଦଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯିବ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଏବଂ ପ୍ରଯୋଜନା କରିବେ । ଆନନ୍ଦ ଏଲ୍ ରାୟ ଏହା ପୂର୍ବରୁ ରାଞ୍ଝଣା, ତନୁ ୱେଡସ୍ ମନୁ, ତନୁ ୱେଡ୍ ମନୁ ରିଟର୍ନସ, ଜିରୋ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଏହା ବ୍ୟତୀତ ଆନନ୍ଦ ଏଲ୍ ରାୟ ମୁକ୍କେବାଜ ନାମକ ଏକ କ୍ରୀଡା ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ, ଯାହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ ଦେଇଥିଲେ ।

ସୂଚନା ଅନୁଯାୟୀ, ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ କାଳର କ୍ୟାରିଅରରେ ୫ ଥର ବିଶ୍ୱ ଚାମ୍ପିଅନସିପ୍ ଜିତିଥିବା ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦ ଏହା ପୂର୍ବରୁ ମଧ୍ୟ ତାଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ପାଇଁ ଅନେକ ଅଫର ପାଇଥିଲେ । କିନ୍ତୁ ସେ ଏହି ଅଫରକୁ ମଞ୍ଜୁରି ଦେଇଛନ୍ତି। କୁହାଯାଉଛି ଯେ ଏହି ବାୟୋପିକ୍ ନେଇ ବିଶ୍ୱନାଥନ ଆନନ୍ଦ ଏବଂ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ଆଲୋଚନା ହୋଇଛି ଏବଂ ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ।

ବଡ଼ ପରଦାରେ ବିଶ୍ୱନାଥନ ଆନନ୍ଦଙ୍କ ଚରିତ୍ରରେ କିଏ ଅଭିନୟ କରିବେ ସେନେଇ ରାୟ କୌଣସି ସୂଚନା ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଆକ୍ରମଣାତ୍ମକ ଶୈଳୀରେ ଚେସ୍ ଖେଳିବା ପାଇଁ ପ୍ରସିଦ୍ଧ ତଥା ବିଶ୍ୱର ଅନେକ ପିଢିକୁ ଆକର୍ଷିତ କରିଥିବା ଆନନ୍ଦ ଶୁକ୍ରବାର ଚେନ୍ନାଇରେ ତାଙ୍କର ୫୧ତମ ଜନ୍ମଦିନ ପାଳନ କରିଥିଲେ।

Comments are closed.