ବାରମ୍ବାର ଦାବି ବଦଳାଉଥିବା ନେଇ ମୋଦିଙ୍କ ଅଭିଯୋଗକୁ ଚାଷୀଙ୍କ ଖଣ୍ଡନ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ମାସେ ପୂରିଥିଲେ ମଧ୍ୟ ଏହି ଅଚଳାବସ୍ଥାର କୌଣସି ସମାଧାନ ବାହାରି ପାରିନାହିଁ । ଉଭୟ ଚାଷୀ ଓ ସରକାର ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯୋଗକୁ ଆନ୍ଦୋଳନରତ ଚାଷୀ ଖଣ୍ଡନ କରିଛନ୍ତି । ମୋଦି କହିଥିଲେ ଯେ, କିଛି ରାଜନୈତିକ ଦଳ ଚାଷୀଙ୍କୁ ଉସକାଉଛନ୍ତି । ଚାଷୀମାନେ ନିଜ ଦାବି ବାରମ୍ବାର ବଦଳାଉଛନ୍ତି । ତେବେ ମୋଦିଙ୍କ ଏହି ଅଭିଯୋଗକୁ ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ କମିଟି (ଏଆଇକେଏସ୍‌ସିସି) ଖଣ୍ଡନ କରିଛି । ଚାଷୀ ସେମାନଙ୍କ ଦାବି ବଦଳାଉ ନାହାନ୍ତି । ସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନେଇ ସରକାର ଆଇନରେ ବ୍ୟବସ୍ଥା କରନ୍ତୁ । ଏହା ହିଁ ଚାଷୀଙ୍କ ଏକମାତ୍ର ଦାବି ବୋଲି ଏଆଇକେଏସ୍‌ସିସି ତରଫରୁ କୁହାଯାଇଛି । ସେପଟେ ଆଲୋଚନା ପାଇଁ ସରକାରଙ୍କ ତରଫରୁ ଦିଆଯାଇଥିବା ନିମନ୍ତ୍ରଣ ଉପରେ ଚାଷୀମାନେ ଆଜି ନିଷ୍ପତ୍ତି ନେବା ସମ୍ଭାବନା ରହିଛି । ଏଥିପାଇଁ ଆଜି ଚାଷୀଙ୍କ ବୈଠକ ବସିବ । ଏଥିରେ ସରକାରଙ୍କ ସହ ପୁଣିଥରେ ଆଲୋଚନା କରାଯିବା ନା ନାହିଁ ନିଷ୍ପତ୍ତି ନିଆଯିବ ।

Comments are closed.