ବିବାଦ ମଧ୍ୟରେ ରାଜ୍ୟସଭାରୁ ଇସ୍ତଫା ଦେଲେ ସ୍ୱପନ ଦାସଗୁପ୍ତା

ନୂଆଦିଲ୍ଲୀ – ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସ୍ୱପନ ଦାସଗୁପ୍ତା ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ତୃଣମୂଳ କଂଗ୍ରେସ ତାଙ୍କ ପ୍ରାର୍ଥୀତ୍ୱ ଉପରେ ପ୍ରଶ୍ନ ଉଠାଇଥିଲା । ସ୍ୱପନ ରାଜ୍ୟସଭାର ମନୋନୀତ ସଦସ୍ୟ ଥିବା ସତ୍ତ୍ୱେ ତାଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରାର୍ଥୀ କରି ବିଜେପି ସମ୍ବିଧାନ ନିୟମର ଉଲ୍ଲଂଘନ କରିଛନ୍ତି ବୋଲି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କହିଥିଲେ । ଏଥିପାଇଁ ସ୍ୱପନଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ କରିବାକୁ ସେ ଦାବି କରିଥିଲେ ।

ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିବାଦ ମଧ୍ୟରେ ସ୍ୱପନ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ଯେ, ଏକ ଉନ୍ନତ ପଶ୍ଚିମବଙ୍ଗର ଲଢ଼େଇ ପ୍ରତି ନିଜକୁ ସମର୍ପିତ କରିବା ପାଇଁ ମୁଁ ରାଜ୍ୟସଭାରୁ ଇସ୍ତଫା ଦେଇଛି । ଆସନ୍ତା କିଛିଦିନ ମଧ୍ୟରେ ତାରକେଶ୍ୱର ବିଧାନସଭା ଆସନରୁ ମୁଁ ନିଜ ନାମାଙ୍କନ ଦାଖଲ କରିବି ।
ସ୍ୱପନଙ୍କ ପ୍ରାର୍ଥୀତ୍ୱ ନେଇ ଟିଏମ୍‌ସି ସାଂସଦ ଟ୍ୱିଟ୍ କରି କହିଥିଲେ – ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁସାରେ ଯଦି କୌଣସି ମନୋନୀତ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିବାର ୬ ମାସ ପରେ ଏକ ରାଜନୈତିକ ଦଳରେ ଯୋଗ ଦିଅନ୍ତି, ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ ।

ସ୍ୱପନ ଦାସଗୁପ୍ତା ଏପ୍ରିଲ ୨୦୧୬ରେ ରାଜ୍ୟସଭାର ମନୋନୀତ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ ।

Comments are closed.