ଭାରତକୁ ପରାଜୟରୁ ବଞ୍ଚାଇଲେ ଅଶ୍ୱିନ, ବିହାରୀ; ସିଡନୀ ଟେଷ୍ଟ ଡ୍ର

ସିଡନୀ – ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ରୋମାଞ୍ଚକ ପରିସମାପ୍ତି ଘଟିଛି । ରିଷଭ ପନ୍ତଙ୍କ ଆକ୍ରାମଣାତ୍ମକ ଇନିଂସ୍ ପରେ ରବିଚନ୍ଦ୍ରନ ଅଶ୍ୱିନ ଓ ହନୁମା ବିହାରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଭାରତ ପରାଜୟରୁ ବର୍ତ୍ତି ତୃତୀୟ ଟେଷ୍ଟକୁ ଡ୍ର କରିବାରେ ସଫଳ ହୋଇଛି । ଅଷ୍ଟ୍ରେଲିଆ ପ୍ରଦତ୍ତ ୪୦୭ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୩୩୪ ରନ୍ କରିଥିଲା । ତୃତୀୟ ଟେଷ୍ଟ ଡ୍ର’ ରହିବା ପରେ ଚାରି ମ୍ୟାଚ୍ ସିରିଜ୍ ଏବେ ବି ୧-୧ ସ୍ଥିତିରେ ରହିଛି । ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଜାନୁୟାରୀ ୧୫ରୁ ବ୍ରିସବେନରେ ଖେଳାଯିବ ।

ଅଷ୍ଟ୍ରେଲିଆ ପ୍ରଦତ୍ତ ୪୦୭ ରନର ବିଜୟଲକ୍ଷ୍ୟ ଜବାବରେ ଭାରତ ଆଜି ପଞ୍ଚମ ଦିବସରେ ତାର ଅସମାପ୍ତ ଦ୍ୱିତୀୟ ଇନିଂସ୍ ସ୍କୋର ୯୮/୨ରୁ ଖେଳ ଆରମ୍ଭ କରିଥିଲା । ଶେଷ ଦିନରେ ଭାରତକୁ ବିଜୟ ପାଇଁ ଆହୁରି ୩୦୯ ରନ୍ ଆବଶ୍ୟକ ହେଉଥିଲା ବେଳେ ଅଷ୍ଟ୍ରେଲିଆକୁ ୮ ୱିକେଟ୍ ଦରକାର ହୋଇଥିଲା । ଭାରତ ଆଜି ଅତିଶୀଘ୍ର ଅଧିନାୟକ ଅଜିଙ୍କ୍ୟ ରାହାଣେ (୪)ଙ୍କ ୱିକେଟ୍ ହରାଇଥିଲା । ରାହାଣେ ତାଙ୍କ ପୂର୍ବଦିନର ଅପରାଜିତ ସ୍କୋରରେ କୌଣସି ରନ୍ ଯୋଡିବା ପୂର୍ବରୁ ନାଥନ ଲାୟନଙ୍କ ଶିକାର ହୋଇଥିଲେ । ଏହି ପ୍ରାରମ୍ଭିକ ଝଟକା ପରେ କ୍ରିଜକୁ ଓହ୍ଲାଇଥିଲେ ରିଷଭ ପନ୍ତ୍ । ପନ୍ତ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ଚାପ ପକାଇଥିଲେ । ପନ୍ତ ଓ ପୂଜାର ତୃତୀୟ ୱିକେଟରେ ୧୪୮ ରନ ଯୋଗ କରିଥିଲେ । ଦୁହେଁ ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ତେବେ ଚା’ ବିରତି ପୂର୍ବରୁ ପନ୍ତ୍ ବ୍ୟକ୍ତିଗତ ୯୭ ରନରେ ଆଉଟ୍ ହୋଇଯାଥିଲେ । ଏହି ଇନିଂସ୍ ପାଇଁ ପନ୍ତ ୧୧୨ ବଲ୍ ଖେଳିଥିବା ବେଳେ ୧୨ଟି ଚୌକା ଓ ୩ଟି ଛକା ମାରିଥିଲେ । ସେପଟେ ପୂଜାରା ମ୍ୟାଚରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ପୂଜାରାଙ୍କୁ କ୍ଲିନ ବୋଲ୍ଡ କରି କମିନ୍ସ ଭାରତକୁ ଆଉ ଏକ ଝଟ୍‌କା ଦେଇଥିଲେ । ଦୁଇ ସେଟ୍ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଭାରତର ପରାଜୟ ଆଶଙ୍କା ବଢ଼ି ଯାଇଥିଲା । ହେଲେ ଅଶ୍ୱିନ ଓ ହାମଷ୍ଟ୍ରିଂ ସମସ୍ୟା ସତ୍ତ୍ୱେ ବିହାରୀ ଅଦମ୍ୟ ଧୈର୍ଯ୍ୟର ପ୍ରଦର୍ଶନ କରି ମ୍ୟାଚ୍ ବଞ୍ଚାଇଥିଲେ । ଏ ଦୁହେଁ ଏକାଠି ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବଲ୍ ର ସମ୍ମୁଖୀନ ହୋଇ ଭାରତକୁ ପରାଜୟରୁ ରକ୍ଷା କରିଥିଲେ । ଅଶ୍ୱିନ୍ ୧୨୮ ବଲ୍ ଖେଳି ଅପରାଜିତ ୩୯ ରନ୍ କରିଥିଲା ବେଳେ ବିହାରୀ ୧୬୧ ବଲର ସମ୍ମୁଖୀନ ହୋଇ ୩୯ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

Comments are closed.