ଭାରତକୁ ମିଳିଲା ତୃତୀୟ କୋଭିଡ୍ ଟିକା, ଜରୁରୀ ବ୍ୟବହାର ପାଇଁ ‘ସ୍ପୁଟନିକ-୫’କୁ ଅନୁମତି

ନୂଆଦିଲ୍ଲୀ – କରୋନା ବିରୋଧରେ ଲଢ଼େଇରେ ଭାରତକୁ ମିଳିଛି ତୃତୀୟ ଟିକା । ଦେଶରେ ଜରୁରୀ ବ୍ୟବହାର ପାଇଁ ରୁଷିଆର ‘ସ୍ପୁଟନିକ-୫’କୁ କେନ୍ଦ୍ରର ବିଶେଷଜ୍ଞ କମିଟି ଅନୁମତି ଦେଇଛି । ‘କୋଭିସିଲ୍ଡ’ ଏବଂ ‘କୋଭାକ୍ସିନ’ ପରେ ଭାରତରେ ଟିକାକରଣ ଅଭିଯାନରେ ତୃତୀୟ କୋଭିଡ୍ ଟିକା ଭାବେ ଏବେ ‘ସ୍ପୁଟନିକ-୫’ର ବ୍ୟବହାର କରାଯିବ ।

ହାଇଦ୍ରାବାଦ ସ୍ଥିତ ଔଷଧ କମ୍ପାନୀ ଡକ୍ଟର ରେଡ୍ଡୀସ୍ ଲ୍ୟାବ୍ ଭାରତରେ ‘ସ୍ପୁଟନିକ-୫’ ଟିକାର ଉତ୍ପାଦନ କରୁଛି । ଗତ ସପ୍ତାହରେ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଡକ୍ଟର ରେଡ୍ଡୀସ୍ ଲ୍ୟାବ୍ ଆବେଦନ କରିଥିଲା । ସେପ୍ଟେମ୍ବରରେ ରଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍ (ଆର୍‌ଡିଆଇଏଫ୍‌) ସହ ମିଶି ଡକ୍ଟର ରେଡ୍ଡୀସ୍ ଲ୍ୟାବ୍ ଏହି ଟିକାର ଭାରତରେ କ୍ଲିନିକାଲ ଟ୍ରାଏଲ କରିଥିଲା । କରୋନା ସଂକ୍ରମଣ ରୋକିବାରେ ଏହି ଟିକା ୯୧.୬% ପ୍ରଭାବୀ ବୋଲି ଦାବି କରାଯାଇଛି ।

ଭାରତରେ ‘ସ୍ପୁଟନିକ-୫’ ଟିକାର ୨୦୦ ମିଲିୟନ ଡୋଜ୍ ଉତ୍ପାଦନ କରିବା ପାଇଁ ମାର୍ଚ୍ଚରେ ଆରଡିଆଇଏଫ୍ ଏବଂ ଡକ୍ଟର ରେଡ୍ଡୀସ୍ ଲ୍ୟାବ୍ ସହ ଭିର୍ଚୋ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା ।

Comments are closed.