ଭାରତରେ ନିଜ କୋଭିଡ୍ ଟିକାର ଜରୁରୀ ବ୍ୟବହାର ଆବେଦନ ପ୍ରତ୍ୟାହାର କଲା ଫାଇଜର

ନୂଆଦିଲ୍ଲୀ – ଆମେରିକୀୟ ଔଷଧ କମ୍ପାନୀ ଫାଇଜର ନିଜ କୋଭିଡ୍ ଟିକାର ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ କରିଥିବା ଆବେଦନକୁ ପ୍ରତ୍ୟାହାର କରିଛି । ପ୍ରଥମ କମ୍ପାନୀ ଭାବେ ଫାଇଜର ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଥିଲା । ଫେବୃୟାରୀ ୩ରେ କୋଭିଡ୍ ଟିକା ଉପରେ ଗଠିତ ବିଶେଷଜ୍ଞ କମିଟି ସହ ଫାଇଜର କର୍ତ୍ତୃପକ୍ଷଙ୍କ ବୈଠକ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଫାଇଜର ଟିକାକୁ ଦେଶରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବା ପୂର୍ବରୁ ବିଶେଷଜ୍ଞ କମିଟି ଏହି ଆମେରିକୀୟ କମ୍ପାନୀ ଠାରୁ ଅଧିକ ତଥ୍ୟ ଲୋଡିଥିଲା । ଏହି କାରଣରୁ ଫାଇଜର ନିଜ ଆବେଦନ ପ୍ରତ୍ୟାହାର କରିଛି । ତେବେ ନିକଟରେ ଆବଶ୍ୟକ ଅତିରିକ୍ତ ତଥ୍ୟ ସହ ଭାରତରେ ଜରୁରୀ ବ୍ୟବହାର ପାଇଁ ପୁନଃ ଆବେଦନ କରାଯିବ ବୋଲି ଫାଇଜର ତରଫରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଏବେ ଦୁଇଟି କରୋନା ଟିକାକୁ ଅନୁମତି ମିଳିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

Comments are closed.