ଭିଆଇପି କଲଚର ଓ ଅଯଥା ସରକାରୀ ଆଡମ୍ବର

ଉଚ୍ଚ ପଦପଦବୀରେ ଥାଇ ବି ଅନେକ ବ୍ୟକ୍ତି ଏମିତି ଅଛନ୍ତି, ଯେଉଁମାନେ କି ଆଡମ୍ବରପୂର୍ଣ୍ଣ ଜୀବନଶୈଳୀକୁ ପସନ୍ଦ କରି ନଥାନ୍ତି । ସାଧାସିଧା ଜୀବନଯାପନ କରିଥାନ୍ତି । କାର୍ଯ୍ୟକ୍ଷେତ୍ରରେ ବି ସେମାନଙ୍କ ନିରାଡମ୍ବର ଶୈଳୀ ପ୍ରତିଫଳିତ ହୋଇଥାଏ । ସରକାରୀ ପ୍ରୋଟକଲ ଅନୁସାରେ ସେମାନଙ୍କୁ ମିଳୁଥିବା ସୁବିଧାସୁଯୋଗ ଓ ସମ୍ମାନ ବି ସେମାନେ ପ୍ରତ୍ୟାଖ୍ୟାନ କରିଥିବା ନଜିର ରହିିଛି । ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ ଏସ୍‌. ମୁରଲୀଧର ଏ କ୍ଷେତ୍ରରେ ଏକ ଉଦାହରଣ । ପ୍ରୋଟକଲ ଅନୁସାରେ ଜଷ୍ଟିସ ମୁରଲୀଧରଙ୍କୁ ପାଇଲଟ୍ ଓ ସୁରକ୍ଷା ପ୍ରଦାନ କରାଯାଇଥିଲା । କିନ୍ତୁ ଜଷ୍ଟିସ ମୁରଲୀଧର ଏସବୁ ପ୍ରତ୍ୟାଖ୍ୟାନ କରିଥିଲେ । ସେ ବିନା ପାଇଲଟ ଓ ସୁରକ୍ଷାରେ କୋର୍ଟରୁ ଫେରିଥିଲେ ।

ସରକାରୀ ସ୍ତରରେ ଏସବୁ ବ୍ୟୟବହୁଳ ଓ ଆଡମ୍ବରପୂର୍ଣ୍ଣ ପ୍ରୋଟକଲର ଔଚିତ୍ୟ ନେଇ ବହୁବାର ବିତର୍କ ସୃଷ୍ଟି ହୋଇଛି । ଆମେ ଦେଶରେ ମନ୍ତ୍ରୀ , ଉଚ୍ଚ ସାମ୍ବିଧାନିକ ପଦରେ ଅବସ୍ଥାପିତ ବ୍ୟକ୍ତିବିଶେଷ ଓ ସରକାରୀ ଅଧିକାରୀଙ୍କୁ ପ୍ରୋଟକଲ ଅନୁସାରେ ଅନେକ ସୁବିଧା ସୁଯୋଗମିଳେ । ଅନେକ ଏହାକୁ ଗ୍ରହଣ ବି କରନ୍ତି । ସେମାନଙ୍କ ଅଧିକାର ବୋଲି ମନେ କରନ୍ତି । କିନ୍ତୁ ଏସବୁର ଔଚିତ୍ୟକୁ ନେଇ ପ୍ରଶ୍ନ ଉଠିଛି । ଏହି ଆଡମ୍ବରପୂର୍ଣ୍ଣ ସୁବିଧା ସୁଯୋଗକୁ ‘ଭିଆଇପି କଲଚର’ବୋଲି କୁହାଯାଉଛି ।
ତେବେ, ‘ଭିଆଇପି କଲଚର’ ଉଠାଇବା ପାଇଁ ବି ପ୍ରୟାସ ହୋଇଛି । ୨୦୧୯ ମସିହା ଅଗଷ୍ଟ ମାସରେ ଓଡିଶା ସରକାର କିଛି ଅର୍ଥହୀନ ଓ ଅଯଥା ଆଡମ୍ବରପୂର୍ଣ୍ଣ ପ୍ରୋଟକଲ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଥିଲେ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଉଦ୍ଦିଷ୍ଟ ‘ଗାର୍ଡ ଅଫ୍ ଅନର’ ପରମ୍ପରା ବନ୍ଦ କରିଦେଇଥିଲେ ରାଜ୍ୟ ସରକାର । ତେବେ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ଉତ୍କଳ ଦିବସ ପରି ସ୍ୱତନ୍ତ୍ର ଅବସରରେ ହିଁ ଗାର୍ଡ ଅଫ୍ ଅନର ଦେବା ପାଇଁ ନିଷ୍ପତି ହୋଇଥିଲା । ସେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ କାରରୁ ପ୍ରଥମେ ନାଲିବତୀ ହଟାଇ ସମସ୍ତଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିଥିଲେ ।

ଭିଆଇପି କଲଚର୍ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୭ରେ ସରକାରୀ ଗାଡିରୁ ନାଲିବତୀ ହଟାଇବା ପାଇଁ ପଦକ୍ଷେପ ନେଇଥିଲେ ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି କୌଣସି ରାଜ୍ୟକୁ ପ୍ରଥମ ଗସ୍ତରେ ଗଲେ ହିଁ ଗାର୍ଡ ଅଫ୍ ଅନର ଗ୍ରହଣ କରନ୍ତି । କିନ୍ତୁ ପରବର୍ତ୍ତୀଗସ୍ତରେ ଗାର୍ଡ ଅଫ୍ ଅନର ନ ନେବା ପାଇଁ ସେମାନେ ସ୍ଥିର କରିଛନ୍ତି ।

ପ୍ରାଶାସନିକ ଅଧିକାରୀ ହୁଅନ୍ତୁ ବା ନେତା ଓ ମନ୍ତ୍ରୀ । ଏମାନେ ସମସ୍ତେ ଜନସେବକ । ସେମାନେ ଉପଭୋଗ କରୁଥିବା ସରକାରୀ ସୁବିଧାସୁଯୋଗରେ ଟିକସଦାତାଙ୍କ ପଇସା ହିଁ ଖର୍ଚ୍ଚ ହୋଇଥାଏ । ତେଣୁ ଅଯଥା ସମ୍ମାନ ଓ ସୁବିଧାସୁଯୋଗର ଔଚିତ୍ୟ ହିଁ ନାହିଁ କହିଲେ ଚଳେ ।

ଦୁର୍ଭାଗ୍ୟବଶତଃ,ଆମ ଦେଶରେ ଏବେ ବି ଭିଆଇପି କଲଚର୍ ପ୍ରତି ମୋହ ତୁଟିନାହିଁ । କିନ୍ତୁ ଜଷ୍ଟିସ ମୁରଲୀଧରଙ୍କ ଭଳି ବ୍ୟକ୍ତିବିଶେଷଙ୍କ ଠାରୁ ଆଶା ସୃଷ୍ଟି ହୋଇଛି ।

Comments are closed.