ମନସୁଖ ହିରେନ୍ ମୃତ୍ୟୁ ମାମଲାରେ ଦୁଇ ଗିରଫ

ମୁମ୍ବାଇ – ବ୍ୟବସାୟୀ ମନସୁଖ ହିରେନ୍ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍‌) ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ପୋଲିସ୍ କନଷ୍ଟେବଳ ବିନାୟକ ସିନ୍ଦେ (୫୫) ଓ ବୁକି ନରେଶ ଗୋରେ (୩୧) । ଏହି ଦୁଇ ଜଣଙ୍କୁ ଏଟିଏସ୍ ଶନିବାର ବିଳମ୍ବିତ ରାତିରେ ଗିରଫ କରିଥିଲା ।

ଗୋରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପୋଲିସ୍ ଇନ୍ସିପେକ୍ଟର ସଚିନ ବାଜେ ଓ ସିନ୍ଦେଙ୍କୁ ବିଭିନ୍ନ ନାମରେ ପଞ୍ଜିକୃତ ହୋଇଥିବା ପାଞ୍ଚଟି ସିମ୍ କାର୍ଡ ଯୋଗାଇଥିଲା ।

ପୂର୍ବରୁ ସିନ୍ଦେ ୨୦୦୭ରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ସହଯୋଗୀ ଲଖନ ଭୟାକୁ ନକଲି ଏନାକଉଣ୍ଟରରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏନକାଉଣ୍ଟର ସ୍ପେଷାଲିଷ୍ଟ ପ୍ରଦୀପ ଶର୍ମା ଓ ସଚିନ ବାଜେଙ୍କ ଟିମ୍‌ର ସେ ଜଣେ ସଦସ୍ୟ ଥିଲେ ।

ଉଭୟ ସିନ୍ଦେ ଓ ଗୋରେକୁ ଆଜି କୋର୍ଟରେ ହାଜର କରାଯିବ । ଏଟିଏସ୍ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ।
ଶନିବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ନ୍ୟସ୍ତ କରିଥିଲା । ତା’ ପୂର୍ବରୁ ମହାରାଷ୍ଟ୍ରର ଏଟିଏସ୍ ଏହି ଘଟଣାର ତଦନ୍ତ କରୁଥିଲା । ଏଟିଏସ୍ କହିଛି ଯେ, ଏହି ମାମଲାରେ ଏଯାବତ ସଂଗ୍ରହ ହୋଇଥିବା ସବୁ ତଥ୍ୟ ପ୍ରମାଣ ଏନ୍‌ଆଇଏକୁ ଦିଆଯିବ ।
ଫେବୃୟାରୀ ୨୫ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ଘର ସମ୍ମୁଖରୁ ଏକ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ଗାଡ଼ି ମିଳିଥିଲା । ମନସୁଖ ହିରେନ ଏହି ସ୍କୋର୍ପିଓ ଗାଡ଼ିର ମାଲିକ ଥିଲେ । ତେବେ ମାର୍ଚ୍ଚ ୫ରେ ମନସୁଖ ହିରେନଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହ ଥାନେର ଏକ ହ୍ରଦ ମୁହାଣରୁ ମିଳିଥିଲା । ହିରେନଙ୍କୁ ହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ପତ୍ନୀ ବିବାଦୀୟ ପୋଲିସ୍ ଇନ୍ସିପେକ୍ଟର ସଚିନ ବାଜେଙ୍କ ନାମରେ ଏତଲା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ମୁକେଶ ଅମ୍ବାନିଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ସ୍କୋର୍ପିଓ ପାର୍କିଂ ମାମଲାରେ ମାର୍ଚ୍ଚ ୧୩ରେ ଏନ୍‌ଆଇଏ ସଚିନ ବାଜେଙ୍କୁ ଗିରଫ କରିଥିଲା । ଏବେ ଏନ୍‌ଆଇଏ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାର ତଦନ୍ତ ବି କରିବ ।

Comments are closed.