ମନ୍ଥର ବୋଲିଂ ପାଇଁ ଟିମ୍ ଇଣ୍ଡିଆ ଦଣ୍ଡିତ

ସିଡନୀ – ଅଷ୍ଟ୍ରେଲିଆ ବିପକ୍ଷ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ରେ ମନ୍ଥର ବୋଲିଂ ଯୋଗୁଁ ଟିମ୍ ଇଣ୍ଡିଆ ଦଣ୍ଡିତ ହୋଇଛି । ଭାରତୀୟ ଦଳର ସବୁ ଖେଳାଳିଙ୍କ ମ୍ୟାଚ୍ ଫି’ର ୨୦% କାଟି ଦିଆଯାଇଛି । ଧାର୍ଯ୍ୟ ସମୟ ଭିତରେ ଭାରତୀୟ ଦଳ ଗୋଟିଏ ଓଭର କମ୍ ପକାଇଥିବା ଅଭିଯୋଗ ହୋଇଥିଲା । ଆଇସିସି ଆଚରଣ ସଂହିତାର ଧାରା ୨.୨୨ ଅନୁସାରେ ମ୍ୟାଚ୍ ରେଫରୀ ଡେଭିଡ୍ ବୁନ୍ ଭାରତୀୟ ଦଳକୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅଧିନାୟକ ବିରାଟ କୋହଲି ଦୋଷ ସ୍ୱୀକାର କରିବା ସହ ଦଣ୍ଡାଦେଶକୁ ଗ୍ରହଣ କରିଥିବା ଆଇସିସି ତରଫରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି । ଫିଲ୍ଡ ଅମ୍ପାୟର ରଡ୍ ଟକର, ଜେରାର୍ଡ ଆବୁଦ୍, ଟିମ୍ ଅମ୍ପାୟର ପଲ ୱିଲସନ ଓ ଚତୁର୍ଥ ଅମ୍ପାୟର ସାମ୍ ନୋଗାସ୍କି ଭାରତୀୟ ଦଳ ବିରୋଧରେ ମନ୍ଥର ବୋଲିଂ ନେଇ ଅଭିଯୋଗ ଆଣିଥିଲେ । ଭାରତ ତୃତୀୟ ଟି୨୦ରେ ୧୨ ରନରେ ପରାସ୍ତ ହୋଇଥିଲା । କିନ୍ତୁ ବିରାଟ ବାହିନୀ ସିରିଜକୁ ୨-୧ରେ ଜିତିଥିଲା ।

Comments are closed.