କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ଦେଶରେ ଖୋଲିବ ୧ କୋଟି ଡାଟା ସେଣ୍ଟର, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଞ୍ଜୁରି

ନୂଆଦିଲ୍ଲୀ – ଦେଶରେ ୧ କୋଟି ଡାଟା ସେଣ୍ଟର ଖୋଲାଯିବ । ଏହି ଯୋଜନାକୁ ‘ପ୍ରଧାନମନ୍ତ୍ରୀ ୱାଇଫାଇ ଏକ୍ସପ୍ରେସ୍ ଇଣ୍ଟରଫେସ’ ଭାବେ ନାମିତ କରାଯାଇଛି । ଏହି ଯୋଜନା ମୁତାବକ ସାରା ଦେଶରେ ଡିଜିଟାଲ ଭିତ୍ତିଭୂମିକୁ ଆହୁରି ମଜବୁତ କରାଯିବ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନା ଅଧୀନରେ ସରକାର ପବ୍ଲିକ ଡାଟା ଅଫିସ୍ (ପିଡିଓ) ଖୋଲିବେ । ଏଥିପାଇଁ ଲାଇସେନ୍ସ ଆବେଦନ କରିବା ଆବଶ୍ୟକ ପଡିବନି । ଯେ କୌଣସି ଅଫିସ ବା ବ୍ୟବସାୟ କେନ୍ଦ୍ରକୁ ଡାଟା ଅଫିସ୍ରେ ପରିଣତ କରାଯାଇ ପାରିବ । ଡାଟା ଅଫିସ୍, ଡାଟା ଏଗ୍ରିଗେଟର, ଏପ୍ ସିଷ୍ଟମଙ୍କ ପାଇଁ ୭ ଦିନ ମଧ୍ୟରେ ଡାଟା ସେଣ୍ଟର ଖୋଲିବାକୁ ଅନୁମତି ଦିଆଯିବ ।

ଲକ୍ଷଦ୍ୱୀପକୁ ମଧ୍ୟ ଫାଇବର କନେକ୍ଟିଭିଟି ସହ ଯୋଡ଼ାଯିବ । କୋଚି ଠାରୁ ଲକ୍ଷଦ୍ୱୀପର ୧୧ ଦ୍ୱୀପକୁ ୧୦୦୦ ଦିନରେ ଫାଇବର ସଂଯୋଗୀକରଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ମଧ୍ୟ ମଞ୍ଜୁରି ମିଳିଛି । କେନ୍ଦ୍ରଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଯୋଜନା ପାଇଁ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ୨୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ଅଧୀନରେ ପ୍ରାୟ ୫୮.୫ ଲକ୍ଷ କର୍ମଚାରୀ ଉପକୃତ ହେବେ । ମାର୍ଚ୍ଚ ୨୦୨୦ ଠାରୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ଯେଉଁ ବ୍ୟକ୍ତି ଚାକିରି କରିବେ, ସେମାନଙ୍କ ଇପିଏଫ୍ ଭାଗ ସରକାରଙ୍କ ତରଫରୁ ପ୍ରଦାନ କରାଯିବ । ଯେଉଁ କମ୍ପାନୀରେ ୧୦୦୦ରୁ କମ୍ କର୍ମଚାରୀ କାର୍ଯ୍ୟରତ, ସେମାନଙ୍କ ଇପିଏଫ୍ର ୨୪% ପରିମାଣ ସରକାର ଦେବେ ।

Comments are closed.