ମହାରାଷ୍ଟ୍ରରେ କରୋନାର ପ୍ରକୋପ: ୫୦% କ୍ଷମତା ସହ ଚାଲିବ ଘରୋଇ ଅଫିସ, ଥିଏଟର

ମୁମ୍ବାଇ – ବର୍ଷକ ତଳେ ସମଗ୍ର ଦେଶରେ କରୋନା ହଟ୍‌ସ୍ପଟ୍ ଥିବା ମହାରାଷ୍ଟ୍ରରେ ପୁଣି ଏହି ମହାମାରୀର ପ୍ରକୋପ ବଢ଼ୁଛି । ସ୍ଥିତି ଅଣାୟତ୍ତ ହେବାକୁ ଲାଗିଥିବା ବେଳେ ରାଜ୍ୟ ସରକାର ସାନି କଟକଣା ଲାଗୁ କରିଛନ୍ତି । ମାର୍ଚ୍ଚ ୩୧ ଯାଏ ରାଜ୍ୟରେ ସବୁ ଥିଏଟର, ଅଡିଟୋରିୟମ ଏବଂ ଅଫିସ୍ ୫୦ ପ୍ରତିଶତ କ୍ଷମତା ସହ ଚାଲିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ମହାରାଷ୍ଟ୍ରରେ ଆଜି ୨୫,୮୩୩ କରୋନା ମାମଲା ସାମ୍ନାକୁ ଆସିଛି, ଯାହା ରାଜ୍ୟରେ ବର୍ଷକରେ ସର୍ବାଧିକ । ସଂକ୍ରମଣ ବଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ କୋଭିଡ୍ ନିୟମ ମାନି ରହିବାକୁ ଅନୁରୋଧ କରିଛନ୍ତି । ନିୟମ ଖିଲାପ କଲେ ପୁଣିଥରେ କଡ଼ା ଲକ୍‌ଡାଉନ୍ ଘୋଷଣା କରିବାକୁ ପଡିପାରେ ବୋଲି ଠାକରେ ଚେତାବନୀ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଏବଂ ଅନ୍ୟ ଅତ୍ୟାବଶକୀୟ ସେବାକୁ ଛାଡ଼ି ସବୁ ଘରୋଇ ଅଫିସ୍ ୫୦ ପ୍ରତିଶତ କର୍ମଚାରୀଙ୍କ ସହ କାର୍ଯ୍ୟ କରିବ ବୋଲି ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ।

ତେବେ ସରକାରୀ ଓ ଅର୍ଦ୍ଧସରକାରୀ ଅଫିସ ଗୁଡିକୁ ସେମାନଙ୍କ କର୍ମଚାରୀ ଉପସ୍ଥିତି ସମ୍ପର୍କରେ ନିଜେ ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇଛି । ନିର୍ମାଣ କ୍ଷେତ୍ର ସହ ଜଡିତ କାର୍ଯ୍ୟାଳୟ ଗୁଡିକୁ ମଧ୍ୟ ଅଧା କର୍ମଚାରୀ ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.