ମହାରାଷ୍ଟ୍ର ସରକାରଙ୍କ ଆବେଦନ ଖାରଜ, ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଜରୁରି ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇବା ପାଇଁ ମହାରାଷ୍ଟ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଦେଶମୁଖଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଗମ୍ଭୀରତା ଦୃଷ୍ଟିରୁ ଏହାର ସିବିଆଇ ତଦନ୍ତ ଜରୁରି ବୋଲି କହିବା ସହ ବମ୍ବେ ହାଇକୋର୍ଟ ରାୟରେ ହସ୍ତକ୍ଷେପ କରିିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି ।

ଜଷ୍ଟିସ ଏସ୍‌କେ କୌଲଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତକୁ ଚାଲେଞ୍ଜ କରି ମହାରାଷ୍ଟ୍ର ସରକାର ଦାୟର କରିଥିବା ପିଟିସନର ଶୁଣାଣି କରିଥିଲେ । କୋର୍ଟ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେବା ପୂର୍ବରୁ ଦେଶମୁଖ ଓ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମଧ୍ୟରେ ଘନିଷ୍ଠତା ଥିଲା । ଏହି ମାମଲାରେ ଦୁଇ ହାଇ ପ୍ରୋଫାଇଲ ବ୍ୟକ୍ତି (ଦେଶମୁଖ ଓ ପରମବୀର)ଜଡିତ । ତେଣୁ ଏହି ଏହି ମାମଲାର ତଦନ୍ତ ସିବିଆଇ ଭଳି ଏକ ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ହିଁ କରିବା ଠିକ୍ ହେବ ।

ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଅସିବା ପରେ ପରେ ସେ ପଦ ଛାଡ଼ିନଥିଲେ । ତାଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ହିଁ ସେ ଇସ୍ତଫା ଦେଇଥିଲେ । ତାଙ୍କ ବିରୋଧରେ ଯିଏ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ସେ ଏକଦା ତାଙ୍କର ପାଖଲୋକ ଥିଲେ । ତେଣୁ ସିବିଆଇକୁ ତାଙ୍କ ବିରୋଧରେ ଅଭିଯୋଗର ସତ୍ୟାସତ୍ୟ ଖୋଜିବାକୁ ଅନୁମତି ଦିଆଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପରମବୀର ସିଂହଙ୍କ ପିଟିସନ ଉପରେ ଶୁଣାଣି କରି ଏପ୍ରିଲ ୫ରେ ବମ୍ବେ ହାଇକୋର୍ଟ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟର କିଛି ଘଣ୍ଟା ପରେ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ । ତେବେ ତା’ପରଦିନ ସିବିଆଇ ତଦନ୍ତକୁ ଚାଲେଞ୍ଜ କରି ମହାରାଷ୍ଟ୍ର ସରକାର ଓ ନିଜେ ଦେଶମୁଖ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
ଗୃହମନ୍ତ୍ରୀ ଥିବା ବେଳେ ଦେଶମୁଖ କିଛି ପୋଲିସ୍ ଅଧିକାରୀଙ୍କୁ ମୁମ୍ବାଇର ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ, ବାର୍‌, ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ ।

Comments are closed.