ମେ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତା ୫ ତାରିଖରେ କ୍ରମାଗତ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସୋମବାର ଦଳର ବରିଷ୍ଠ ନେତା ପାର୍ଥୋ ଚାଟାର୍ଜୀ ଏହି ସୂଚନା ଦେଇଛନ୍ତି। ପାର୍ଥୋ ଚାଟାର୍ଜୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ବିମନ୍ ବାନ୍ଦୋପାଧ୍ୟାୟ ପ୍ରୋଟେମ୍ ସ୍ପିକର ଭାବେ ନବନିର୍ବାଚିତ ବିଧାୟକଙ୍କୁ ଶପଥ ଗ୍ରହଣ କରାଇବେ।

ଚାଟାର୍ଜୀଙ୍କ ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଶପଥ ଗ୍ରହଣ ଏବଂ କ୍ୟାବିନେଟ୍ ଗଠନ ପ୍ରସଙ୍ଗରେ ଦଳ ନିଷ୍ପତ୍ତି ନେବ। ରବିବାର ଅନୁଷ୍ଠିତ ଭୋଟ୍ ଗଣନାରେ ତୃଣମୂଳ କଂଗ୍ରେସ ୨୦୦ରୁ ଅଧିକ ସିଟ୍ ଜିତି ଶାସନ କ୍ଷମତାକୁ ଫେରିଛି। ଅନ୍ୟପକ୍ଷେ ନିର୍ବାଚନ ପୂର୍ବରୁ ୨୦୦ରୁ ଅଧିକ ସିଟ୍ ଜିତିବୁ ବୋଲି ଦାବି କରିଥିବା ବିଜେପିକୁ ମାତ୍ର ୭୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିବ।

ଆଜି ଅନୁଷ୍ଠିତ ଟିଏମସି ବିଧାୟକ ଦଳ ବୈଠକରେ ମମତା ବାନାର୍ଜୀ ସର୍ବସମ୍ମତି କ୍ରମେ ନେତା ଭାବରେ ନିର୍ବାଚିତ ହୋଇଥିଲେ। ମମତା ବାନାର୍ଜୀ ୫ ମଇରେ ଶପଥ ଗ୍ରହଣ କରିବେ କିନ୍ତୁ ଅନ୍ୟ କ୍ୟାବିନେଟ ସଦସ୍ୟମାନେ ୬ ମଇରେ ଶପଥ ନେଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗ ଲଢେଇରେ ଟିଏମସି ସୁପ୍ରିମୋ ବିଜେପିକୁ ଧରାଶାୟୀ କରିଥିଲେ ମଧ୍ୟ ନିଜେ ନନ୍ଦିଗ୍ରାମ ଆସନରେ ତାଙ୍କର ଏକଦା ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ । ନିର୍ବାଚନ ଆୟୋଗ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ବିଜେପିର ଶୁଭେନ୍ଦୁ ଅଧିକାରୀ ୧୯୫୬ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ଶୁଭେନ୍ଦୁଙ୍କୁ ମୋଟ ୧,୧୦୭,୬୪ ଭୋଟ୍ ମିଳିଥିବାବେଳେ ମମତା ବାନାର୍ଜୀ ୧,୦୮,୮୦୮ ଭୋଟ୍ ପାଇଥିଲେ ।

Comments are closed.