ମୋଦି ବିରୋଧୀ ମେଳି ପାଇଁ ମମତାଙ୍କ ପ୍ରୟାସ, ନବୀନଙ୍କ ସମେତ ଅଣ ବିଜେପି ନେତାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉଷ୍ମତା ମଧ୍ୟରେ ଜାତୀୟ ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ (ସଂଶୋଧନ) ଆଇନ, ୨୦୨୧କୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ ବିଜେପି ନେତାମାନଙ୍କୁ ଚିଠି ଲେଖି ନରେନ୍ଦ୍ର ମୋଦିଙ୍କ ସ୍ବେଚ୍ଛାଚାରୀ ଶାସନ ବିରୋଧରେ ଏକାଠି ହେବାକୁ ଆହ୍ବାନ କରିଛନ୍ତି ।

ମାର୍ଚ୍ଚ ୨୨ ରେ ଲୋକସଭାରେ ଏବଂ ମାର୍ଚ୍ଚ ୨୪ରେ ରାଜ୍ୟସଭାରେ ଏନସିଟି ବିଲ୍ ୨୦୨୧ ପାରିତ ହୋଇଥିଲା। ଏହା ପରେ ୨୮ ମାର୍ଚ୍ଚରେ ରାଷ୍ଟ୍ରପତିଙ୍କ ଦ୍ବାରା ଏହି ବିଲ୍ ଅନୁମୋଦିତ ହୋଇଥିଲା। ଆଇନ ଅନୁଯାୟୀ, ଦିଲ୍ଲୀରେ ନିର୍ବାଚିତ ସରକାର ଅପେକ୍ଷା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧିକ କ୍ଷମତା ରହିବ। କୌଣସି କାର୍ଯ୍ୟନିର୍ବାହୀ ପଦକ୍ଷେପ ନେବା ପୂର୍ବରୁ ଦିଲ୍ଲୀ ସରକାରଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ପରାମର୍ଶ ନେବାକୁ ପଡ଼ିବ।

ଏହି ଆଇନ ଉପରେ ଆପତ୍ତି ଉଠାଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଶରଦ ପାୱାର, ଏମ.କେ ଷ୍ଟାଲିନ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଉଦ୍ଧବ ଠାକରେ, ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲ, ଜଗନ୍ ମୋହନ ରେଡ୍ଡୀ, ନବୀନ ପଟ୍ଟନାୟକ କେଏସ୍ ରେଡ୍ଡୀ, ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫତି ଏବଂ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସିପିଆଇ (ଏମ୍ଏଲ)ଙ୍କୁ ଚିଠି ଲେଖିଛନ୍ତି।

ମମତା ଚିଠିରେ କହିଛନ୍ତି ଯେ ବିଜେପି ଯେପରି ଏନସିଟି ବିଲ୍ ପାସ୍ କରିବାକୁ ଚେଷ୍ଟା କରିଛି, ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ସେ କହିଛନ୍ତି ଯେ ବିଜେପି ଏକ ସ୍ବେଚ୍ଛାଚାରୀ ଦଳ। ପ୍ରତ୍ୟେକ ରାଜ୍ୟର ସ୍ୱର ଏବଂ ଏହା ସହିତ ସାମଞ୍ଜସ୍ୟ ରହୁନଥିବା ସ୍ୱରକୁ ବିଜେପି ଦମନ କରିବାକୁ ଚାହୁଁଛି।

ଅଣ-ବିଜେପି ଦଳ ଦ୍ୱାରା ଶାସିତ ରାଜ୍ୟଗୁଡ଼ିକରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଅପବ୍ୟବହାର କରି ଏହା ନିର୍ବାଚିତ ସରକାରମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ମମତା କହିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦିଲ୍ଲୀର ଅଘୋଷିତ ଭାଇସରୟ କରାଯାଇଛି, ଯିଏ ଗୃହମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରକ୍ସି ଭାବରେ କାର୍ଯ୍ୟ କରୁଛନ୍ତି ।

Comments are closed.