ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ – ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କରୋନା ବିରୋଧୀ ଲଢ଼େଇରେ ଲକ୍‌ଡାଉନ୍ କେବଳ ଶେଷ ଅସ୍ତ୍ର ତଥା ବିକଳ୍ପ ହେବା ଉଚିତ । ଲକଡାଉନ୍ ପରିବର୍ତ୍ତେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେବାକୁ ମୋଦି ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି ।

ମୋଦି କହିଛନ୍ତି ଯେ, ସାମ୍ପ୍ରତିକ ସ୍ଥିତିରେ ଆମକୁ ଦେଶକୁ ଲକଡାଉନରୁ ବଞ୍ଚାଇବାକୁ ହେବ । ରାଜ୍ୟମାନଙ୍କୁ ମୋର ଅନୁରୋଧ ଯେ, ସେମାନେ ଲକ୍‌ଡାଉନକୁ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ । ଲକଡାଉନରୁ ବର୍ତ୍ତିବା ପାଇଁ ସେମାନେ ଯଥାସମ୍ଭବ ଉଦ୍ୟମ କରନ୍ତୁ ଏବଂ ମାଇକ୍ରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦିଅନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନ ବଞ୍ଚାଇବା ଆମର ପ୍ରାଥମିକତା । କିନ୍ତୁ ଜୀବନ ସହ ଜୀବିକା ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ । କିଛି ସପ୍ତାହ ଧରି ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଥିଲା । ଆମେ ଏହି ମହାମାରୀରୁ ମୁକୁଳିବାକୁ ଆରମ୍ଭ କଲାବେଳେ ସଂକ୍ରମଣର ଦ୍ୱିତୀୟ ଲହରୀ ଏକ ଝଡ଼ ଭଳି ମାଡି ଆସିଛି । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ଯନ୍ତ୍ରଣା ମୁଁ ଅନୁଭବ କରିପାରୁଛି । ଆମ ଆଗରେ ବହୁତ ବଡ଼ ଚ୍ୟାଲେଞ୍ଜ ରହିଛି । କିନ୍ତୁ ଆମକୁ ଧୈର୍ଯ୍ୟର ସହ ଏହି ସଙ୍କଟର ସାମ୍ନା କରିବାକୁ ପଡିବ ।

ଅମ୍ଲଜାନ ଅଭାବ ନେଇ ମୋଦି କହିଛନନ୍ତି ଯେ, ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରୟାସ କରୁଛନ୍ତି । ସବୁ ଲୋକଙ୍କୁ ଯେଭଳି ଅମ୍ଲଜାନ ମିଳିପାରିବ ସେନେଇ ଉଦ୍ୟମ କରାଯାଉଛି । ଏଥିପାଇଁ ନୂଆ ଅମ୍ଲଜାନ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯାଉଛି । କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ବିଭିନ୍ନ ସ୍ଥାନରେ ବଡ଼ ହସ୍ପିଟାଲ ତିଆରି ଚାଲିଛି । ଟିକାକରଣକୁ ଆହୁରି ବ୍ୟାପକ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ମୋଦି ଦେଶବାସୀଙ୍କୁ ନିଜ ସମ୍ବୋଧନରେ କହିଛନ୍ତି । କରୋନା ରୋଗୀଙ୍କ ଚିକିତ୍ସାରେ ଲାଗୁଥିବା ଔଷଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ସେ ଦେଶର ପ୍ରମୁଖ ଫାର୍ମା କମ୍ପାନୀ ମାନଙ୍କୁ କହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

Comments are closed.