ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ ସିଧୁ ନିଖୋଜ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଲାଲ୍‌କିଲ୍ଲାରେ ଘଟିଥିବା ହିଂସା ଓ ଭଙ୍ଗାରୁଜା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ ସିଧୁଙ୍କ ଏବେ ପତ୍ତା ମିଳୁନାହିଁ । ଏହି ହିଂସାକାଣ୍ଡରେ ତାଙ୍କ ନାମ ଉଠିବା ପରେ ସେ ଗାଏବ୍ ହୋଇଯାଇଛନ୍ତି । ଶେଷଥର ତାଙ୍କୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ଲାଲ୍‌କିଲ୍ଲାରେ ସଂଘଟିତ ହିଂସାରେ ଦେଖିବାକୁ ମିଳିଥିଲା । ଦୀପ ସିଧୁଙ୍କ ନେତୃତ୍ୱରେ କିଛି ବିକ୍ଷୋଭକାରୀ ଐତିହାସିକ ଲାଲ୍‌କିଲ୍ଲାରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । କିଛି ଲୋକ ଲାଲ୍‌କିଲ୍ଲା ପ୍ରାଚୀରରେ ଚଢି ଶିଖ୍ ଧର୍ମର ଝଣ୍ଡା ‘ନିଶାନ ସାହିବ’ ଲଗାଇଥିଲେ । ସେଠାରେ ସ୍ଥିତି ଅଣାୟତ୍ତ ହେବା ପରେ ଦୀପ ସିଧୁ ଏକ ବାଇକ୍‌ରେ ବସି ଘଟଣାସ୍ଥଳରୁ ପଳାଇଥିଲେ । ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା ପାଇଁ ଦୀପ ସିଧୁଙ୍କ ଭଳି କିଛି ଲୋକଙ୍କୁ କୃଷକ ସଂଗଠନମାନେ ଦାୟୀ କରିଛନ୍ତି । ଲାଲକିଲ୍ଲାରେ ଯାହା ଘଟିଲା ତାକୁ ଯଥାର୍ଥ ବୋଲି କହିଥିଲେ ଦୀପ ସିଧୁ । ଘଟଣାଦିନ ସେ ଏକ ଟିଭି ଚ୍ୟାନେଲକୁ କହିଥିଲେ ଯେ, ଲାଲକିଲ୍ଲାରେ ଲାଗିଥିବା ତ୍ରିରଙ୍ଗାକୁ ସେମାନେ ହଟାଇ ନଥିଲେ । ଏକ ଖାଲି ଖୁଣ୍ଟିରେ ସେମାନେ ନିଜ ଧର୍ମଝଣ୍ଡା ଲଗାଇଥିଲେ ।

ଟ୍ରାକ୍ଟର ରାଲି ହିଂସା ମାମଲାରେ ଦିଲ୍ଲୀ ପୋଲିସ୍ ଦୀପ ସିଧୁଙ୍କ ସମେତ ୩୭ ଜଣ କୃଷକ ନେତାଙ୍କ ନାଁରେ ମାମଲା ରୁଜୁ କରିଛି । ଦୋଷୀମାନେ ଯେଭଳି ଦେଶଛାଡ଼ି ନ ପଳାନ୍ତି, ସେଥିପାଇଁ ଅନେକଙ୍କ ପାସପୋର୍ଟ ମଧ୍ୟ ରଦ୍ଦ କରାଯାଇଛି ।

Comments are closed.