ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପିତ, ଚଳିତ ବର୍ଷ ଅଭିବୃଦ୍ଧି ହାର ୭.୭% ହ୍ରାସ ପାଇବ

ନୂଆଦିଲ୍ଲୀ – ଆଜି ସଂସଦରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସମ୍ବୋଧନ ସହିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଅର୍ଥନୈତିକ ସର୍ଭେ ଅନୁଯାୟୀ, ୨୦୨୦-୨୧ରେ ଆର୍ଥିକ ଅଭିବୃଦ୍ଧି ହାର -୭.୭% (ନକାରାତ୍ମକ) ହେବାର ସମ୍ଭାବନା ଅଛି । ୨୦୨୧-୨୨ ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର ୧୧% ହେବ ବୋଲି ଆଶା କରାଯାଉଛି । ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦେଶର ଭବିଷ୍ୟତ ପାଇଁ ଏଥର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଯେ ଏହି ଦଶନ୍ଧିର ଏହା ହେଉଛି ପ୍ରଥମ ବଜେଟ୍। ମୁଁ ନିଶ୍ଚିତ ଯେ ଲୋକମାନେ ଆମକୁ ଯେଉଁ ଆଶା ଓ
ଆକାଂକ୍ଷା ସହ ସଂସଦକୁ ପଠାଇଛନ୍ତି ଆମେ ଜନସାଧାରଣଙ୍କ ସେହି ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏହି ଅଧିବେଶନକୁ ସଫଳ କରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗତ ମୌସୁମୀ ଅଧିବେଶନ ପରି ଏହି ଅଧିବେଶନରେ କୋଭିଡ -୧୯ ପ୍ରୋଟୋକଲ ପାଳନ କରାଯିବ ଏବଂ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ପାଞ୍ଚ ଘଣ୍ଟା ସିଫ୍ଟରେ କରାଯିବ। ରାଜ୍ୟସଭା କାର୍ଯ୍ୟ ସକାଳ ସିଫ୍ଟରେ ଏବଂ ସନ୍ଧ୍ୟା ସିଫ୍ଟରେ ଲୋକସଭା ଅଧିବେଶନ ଚାଲିବ। ଉଲ୍ଲେଖନୀୟ କଥା ହେଉଛି, କୋଭିଡ -୧୯ ମହାମାରୀ ଯୋଗୁଁ ସଂସଦର ଶୀତକାଳୀନ ଅଧିବେଶନକୁ ବାତିଲ କରାଯାଇଥିଲା | ବଜେଟ୍ ଅଧିବେଶନରେ ପ୍ରଶ୍ନ କାଳ ରହିବ । ସମୟ ସୀମା କାରଣରୁ, ପୂର୍ବ ଅଧିବେଶନରେ ପ୍ରଶ୍ନକାଳ ରଖା ଯାଇନଥିଲା ।

Comments are closed.