ଶେଷ ଦୁଇ ଟେଷ୍ଟ ପାଇଁ ରୋହିତ ଉପ ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ – ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ସିନିୟର ଓପନର ରୋହିତ ଶର୍ମା ଭାରତୀୟ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତ ପ୍ରଥମ ଥର ଟେଷ୍ଟ ଦଳର ଉପ ଅଧିନାୟକ ହୋଇଛନ୍ତି । ମେଲବୋର୍ଣ୍ଣ ଟେଷ୍ଟରେ ପୂଜାରାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।

ଆଡିଲେଡ୍ ଟେଷ୍ଟ ପରେ ବିରାଟ କୋହଲି ପୈତୃକ ଛୁଟିରେ ଭାରତ ଫେରିଯିବା ପରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ବକ୍ସିଂ ଡେ ଟେଷ୍ଟରେ ଅଜିଙ୍କ୍ୟ ରାହାଣେଙ୍କ ଡେପୁଟି ଭାବେ ପୂଜାରା ଦାୟିତ୍ୱ ତୁଲାଇଥିଲେ । ରୋହିତ ଦଳ ସହ ଯୋଗଦେବା ପରେ ତାଙ୍କୁ ଏହି ଦାୟିତ୍ୱ ନ୍ୟସ୍ତ କରିବାକୁ ଦଳ ପୂର୍ବରୁ ସ୍ଥିର କରିଥିଲା ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ରୋହିତ ବହୁ ସମୟ ଧରି ହ୍ୱାଇଟ୍ ବଲ କ୍ରିକେଟରେ ଭାରତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁୁଲାଉଛନ୍ତି । ତେଣୁ ବିରାଟଙ୍କ ଅନୁପସ୍ଥିତିରେ ସେ ରେଡ୍ ବଲ୍ ଦଳର ଉପଅଧିନାୟକ ଭାବେ ନିଯୁକ୍ତ ହେବା ସ୍ୱାଭାବିକ କଥା ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି ।
ରୋହିତ ୧୪ ଦିନିଆ କ୍ୱାରେଣ୍ଟାଇନ୍ ଅବଧି କଟାଇବା ପରେ ବୁଧବାର ଭାରତୀୟ ଦଳ ସହ ଯୋଗ ଦେଇଥିଲେ । ଉପ ଅଧିନାୟକ ଭାବେ ନିଯୁକ୍ତ ହେବା ପରେ ସେ ଶେଷ ଦୁଇଟି ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି ।

ଭାରତୀୟ ଟେଷ୍ଟ ଦଳ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ’, କେଏଲ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁବମନ ଗିଲ, ରିଦ୍ଧିମାନ ଶାହା (ୱିକେଟକିପର), ରିଷଭ ପନ୍ତ (ୱିକେଟକିପର), ଯଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର.ଅଶ୍ୱିନ, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଟି.ନଟରାଜନ ।

Comments are closed.