ସଚିନଙ୍କୁ ଶରଦ ପାୱାରଙ୍କ ପରାମର୍ଶ: ଅଣ କ୍ରିକେଟ୍ ପ୍ରସଙ୍ଗରେ ବୟାନ ଦେଲାବେଳେ ସତର୍କ ରୁହ

ମୁମ୍ବାଇ – କୃଷକ ଆନ୍ଦୋଳନ ନେଇ ପପ୍‌ଷ୍ଟାର ରିହାନ୍ନାଙ୍କ ସମେତ କିଛି ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ ପରେ ଭାରତରେ ଝଡ଼ ସୃଷ୍ଟି ହୋଇଥିଲା । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଏହା ହସ୍ତକ୍ଷେପ ବୋଲି ଦର୍ଶାଇ ଭାରତର ବହୁ ସେଲିବ୍ରିଟି ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ସେ କହିଥିଲେ ଭାରତ କେବଳ ଭାରତୀୟଙ୍କ ପାଇଁ । ତେବେ ଏହି ଟ୍ୱିଟ ପାଇଁ ସଚିନଙ୍କୁ ମଧ୍ୟ ବିରୋଧୀ ଦଳମାନଙ୍କ ଠାରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏବେ ଏନ୍‌ସିପି ମୁଖ୍ୟ ଶରଦ ପାୱାର ସଚିନଙ୍କୁ ସ୍ପର୍ଶକାତର ପ୍ରସଙ୍ଗରେ ମନ୍ତବ୍ୟ ଦେବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

ପାୱାର କହିଛନ୍ତି – ରିହାନାଙ୍କ ଟ୍ୱିଟ୍ ନେଇ ଭାରତୀୟ ସେଲିବ୍ରିଟିଙ୍କ ଆଭିମୁଖ୍ୟରେ ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମୁଁ ସଚିନଙ୍କୁ ପରାମର୍ଶ ଦେବି ସେ ଅନ୍ୟ କୌଣସି ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ।

କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଭାବେ ଚିତ୍ରଣ କରିବା ନେଇ ପାୱାର କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଲୋକମାନେ ହେଉଛନ୍ତି ଆମର ଅନ୍ନଦାତା । ସେମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ କହିବା ଠିକ୍ ନୁହେଁ ବୋଲି ପାୱାର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ପାୱାର କୃଷିମନ୍ତ୍ରୀ ଥିଲେ । ଏହାଛଡ଼ା ସେ ବିସିସିଆଇ ଓ ଆଇସିସିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

Comments are closed.