ସରକାରୀ ହାଇସ୍କୁଲ ପିଲାଙ୍କ ପାଇଁ ଇଂଜିନିୟରିଂ, ମେଡିକାଲରେ ନାମଲେଖା ସଂରକ୍ଷଣ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସାଧୁବାଦ

ଭୁବନେଶ୍ୱର- ସରକାରୀ ହାଇସ୍କୁୁଲର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ପାଇଁ କ୍ୟାବିନେଟର ନିଷ୍ପତିକୁ ସ୍ୱାଗତ କରାଯାଇଛି । ଏପରି ଏକ ବଳିଷ୍ଠ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । କ୍ୟାବିନେଟ ନିଷ୍ପତିରେ ସେମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।

ହିଂଜିଳି ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଧାମଣି ଦାଶ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଐତିହାସିକ ବୋଲି କହିଛନ୍ତି । ସରକାରୀ ସ୍କୁଲରେ ପଢୁଥିବା ତାଙ୍କ ଭଳି ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସେ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କୋରାପୁଟ ସହରର ଅଷ୍ଟମ ଶ୍ରେଣୀ ଛାତ୍ର ସନ୍ତୋଷ ସାହୁ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି । ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଇଂଜିନିୟରି ଓ ମେଡିକାଲ କୋର୍ସ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ବି ଉତ୍ସାହିତ କରିବ ବୋଲି ସେ କହିଛନ୍ତି ।

କେବଳ ଛାତ୍ରଛାତ୍ରୀ ନୁହନ୍ତି, ଅଭିଭାବକ ମହଲ ମଧ୍ୟ କ୍ୟାବିନେଟ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ବରଗଡ ସହର ବାସିନ୍ଦା ରଘୁନାଥ ମେହେର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଦ୍ୱାରା ମେଡିକାଲ ଓ ଇଂଜିନିୟରିଂ କଲେଜରେ ପଢିବା ପାଇଁ ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି ପାଇବ । ଏଭଳି ଏକ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ସାଧୁବାଦ ଜଣାଇଛନ୍ତି ।

ମାଲକାନଗିରି ଜିଲ୍ଲାର କାଲିମେଳା ବାସିନ୍ଦା ଶୈଲେନ୍ଦ୍ର ଦାସ କହିଛନ୍ତି ଯେ, ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦର ପାତ୍ର ବୋଲି ସେ କହିବା ସହ ସଂରକ୍ଷଣ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

Comments are closed.