ସିଡନୀ ଟେଷ୍ଟ: ଦ୍ୱିତୀୟ ଦିନରେ ଗିଲ୍‌, ଜାଡେଜାଙ୍କ ଚମକ

ସିଡନୀ – ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ବୋଲିଂ ପରେ ଯୁବ ଓପନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଆଧିପତ୍ୟ ଜାହିର କରିଛି । ଷ୍ଟିଭ୍ ସ୍ମିଥଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନରେ ଅଲ ଆଉଟ୍ ହୋଇଥିଲା । ଜାଡେଜା ୪ଟି ୱିକେଟ୍ ନେଇ ଦଳ ପାଇଁ ମ୍ୟାଚକୁ ଫେରିବାକୁ ବାଟ ଫିଟାଇଥିଲେ । ଏହାପରେ କ୍ୟାରିୟରର କେବଳ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଗିଲ ତାଙ୍କ ପ୍ରତିଭାର ଆଉଥରେ ପ୍ରମାଣ ଦେଇ ଏକ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ୍ ହରାଇ ୯୬ ରନ୍ କରିଛି । ଗିଲ୍ ୧୦୧ ବଲରେ ୮ଟି ଚୌକା ସହ ୫୦ ରନ୍ କରିଥିଲେ । ସିରିଜରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ରୋହିତ ଶର୍ମା ଓ ଗିଲ୍ ଓପନିଂ ଭାଗିଦାରୀରେ ୭୦ ରନ୍ ଯୋଗକରି ଭାରତକୁ ଦୃଢ ଷ୍ଟାର୍ଟ ଦେଇଥିଲେ । ରୋହିତ୨୬ ରନ୍ କରି ହାଜଲଉଡଙ୍କ ବଲରେ ଆଉଟ୍ ହୋଇଥିଲା ବେଳେ ଗିଲ୍ ଅର୍ଦ୍ଧଶତକ ପୂରଣ କରିବା ପରେ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ । ଷ୍ଟମ୍ପ ଅପସାରଣ ବେଳକୁ ଚେତେଶ୍ୱର ପୂଜାରା ୯ ଓ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ୫ ରନ୍ କରି ଅପରାଜିତ ଅଛନ୍ତି । ହାତରେ ୮ ୱିକେଟ୍ ରହିଥିବା ବେଳେ ଭାରତ ଆହୁରି ୨୪୨ ରନ୍ ପଛରେ ରହିଛି ।

ପୂର୍ବରୁ ସ୍ମିଥ୍ ଫର୍ମକୁ ଫେରି ୧୩୧ ରନ୍ କରିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଆଜି କେବଳ ଆଉ ୧୭୨ ରନ୍ ଯୋଗକରି ଶେଷ ୮ ୱିକେଟ୍ ହରାଇଥିଲା । ଦଳ ପ୍ରଥମ ଇନିଂସରେ ୩୩୮ ରନ୍‌ରେ ଆଉଟ୍ ହୋଇଥିଲା । ସ୍ମିଥଙ୍କ ବ୍ୟତୀତ ଯୁବ ବ୍ୟାଟ୍‌ସମ୍ୟାନ୍ ମାର୍ନସ ଲାବୁସେନ୍ ୯୧ ରନ୍ କରିଥିଲେ । ଭାରତ ତରଫରୁ ଜାଡେଜା ୪ଟି ୱିକେଟ୍ ହାସଲ କରିଥିବାବେଳେ ବୁମରା ଓ ନବାଗତ ସାଇନି ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

Comments are closed.