ସୁଏଜ୍ କେନାଳରେ ୬ ଦିନ ଫସି ରହିବା ପରେ ଆଗକୁ ବଢ଼ିଲା ବିଶାଳ ପଣ୍ୟବାହୀ ଜାହାଜ ‘ଏଭରଗ୍ରୀନ’

କାଏରୋ – ଇଜିପ୍ଟର ସୁଏଜ୍ କେନାଳରେ ୬ ଦିନ ଫସି ରହିଥିବା ଏକ ବିଶାଳ ପଣ୍ୟବାହୀ ଜାହାଜ ‘ଏଭରଗ୍ରୀନ୍‌’ ଶେଷରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି । ଚାରି ଫୁଟ୍‌ବଲ୍ ପଡ଼ିଆ ଆକାରର ଏହି ଜାହାଜ ସୁଏଜ୍ କେନାଳରେ ଫସି ରହିବା ପରେ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା । ଅନେକ ଛୋଟବଡ଼ ଜାହାଜ ‘ଏଭରଗ୍ରୀନ’ ପାଇଁ ଏହି କେନାଳରେ ଅଟକି ରହିଥିଲେ । ଫଳରେ ସୁଏଜ୍ ଦେଇ ମାଲ୍ ପରିବହନ ବାଧାପ୍ରାପ୍ତ ହୋଇଥିଲା ।

‘ଏଭରଗ୍ରୀନ’ର ଯାତ୍ରାକୁ ସ୍ୱାଭାବିକ କରିବା ପାଇଁ ପାଇଁ ସୁଏଜ୍ କେନାଳ କର୍ତ୍ତୃପକ୍ଷ ଓ ଅନ୍ୟ ରାଷ୍ଟ୍ରର ବିଶେଷଜ୍ଞଙ୍କୁ ଝାଳ ବୁହାଇବାକୁ ପଡିଥିଲା । ଶେଷରେ ଆଜି ସେମାନେ ଏଥିରେ ସଫଳ ହୋଇଥିଲେ ।

‘ଏଭରଗ୍ରୀନ’ ସୁଏଜରେ ଫସି ରହିବା ଦ୍ୱାରା ଭାରତୀୟ ବାଣିଜ୍ୟିକ କାରବାର ମଧ୍ୟ ପ୍ରଭାବିତ ହୋଇଥିଲା । ଅନ୍ୟ ଦେଶରୁ ଭାରତ ଆସିବାକୁ ଥିବା ମାଲାବାହୀ ଜାହାଜ ଗୁଡିକୁ ସୁଏଜ ପରିବର୍ତ୍ତେ ଅନ୍ୟ ରୁଟ୍ ଦେଇ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଥିଲା ।
ଧୂଳି ଝଡ଼ ଯୋଗୁଁ ପ୍ରାୟ ୧୩୦୦ ଫୁଟ୍ ଲମ୍ବ ‘ଏଭରଗ୍ରୀନ୍‌’ ସୁଏଜ୍ କେନାଳରେ ଫସି ରହିଯାଇଥିଲା । ଏହା ଆଡ଼ ହୋଇ ରହିବା ଯୋଗୁଁ ଏହି କେନାଳରେ ପ୍ରାୟ ୧୫୦ ଜାହାଜ ମଧ୍ୟ ଅଟକି ରହିଥିଲେ । ଏଥିପାଇଁ ପ୍ରାୟ ୪୦୦ ମିଲିୟନ୍ ଡଲାର ଟଙ୍କା କ୍ଷତି ହୋଇଥିବା କୁହାଯାଇଛି । ଏସିଆ ଓ ୟୁରୋପ ମଧ୍ୟରେ ମାଲ ପରିବହନ ପାଇଁ ସୁଏଜ୍ କେନାଳ ଏକ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ । ଏହି କେନାଳ ଦେଇ ଦୈନିକ ପ୍ରାୟ ୫୦ ଜାହାଜ ଯାତାୟାତ କରନ୍ତି । ବିଶ୍ୱର ୧୨% ବାଣିଜ୍ୟିକ କାରବାର ଏହି କେନାଳ ଦେଇ ହୋଇଥାଏ ।

Comments are closed.