ସୁପ୍ରିମକୋର୍ଟ କମିଟିକୁ ଚାଷୀଙ୍କ ବିରୋଧ, ଆଇନ କପି ଜାଳି ଆଜି ଲୋହରି ପାଳିବେ

ନୂଆଦିଲ୍ଲୀ – ନୂଆ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ସତ୍ତ୍ୱେ ଦିଲ୍ଲୀ ସୀମାରେ ଗତ ୪୯ ଦିନ ଧରି ଆନ୍ଦୋଳନ ଚଳାଇଥିବା ଚାଷୀମାନେ ଖୁସି ନୁହନ୍ତି । ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ କମିଟିକୁ କୃଷକ ସଂଗଠନ ଗ୍ରହଣ କରିନାହାଁନ୍ତି । ସେମାନେ କମିଟିରେ ହାଜର ହେବେ ନାହିଁ । ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଆଜି ସନ୍ଧ୍ୟାରେ ଚାଷୀମାନେ ତିନୋଟି ଆଇନର କପି ଜାଳି ଲୋହରି ପର୍ବ ପାଳନ କରିବେ।

ସିଂଘୁ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ନେତାମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ ସରକାର ସମର୍ଥକ। କୃଷକ ନେତା ବଲବୀର ସିଂ ରାଜୱାଲ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ ବିଶ୍ୱାସଯୋଗ୍ୟ ନୁହଁନ୍ତି, କାରଣ ସେମାନେ ସବୁ କୃଷି ଆଇନ ସମର୍ଥକ। ଆମେ ଆନ୍ଦୋଳନ ଜାରି ରଖିବୁ ।

କୃଷକ ନେତା କହିଛନ୍ତି ଯେ ଆଇନ ନେଇ ଅଚଳାବସ୍ଥା ଦୂର କରିବା ପାଇଁ ସୁପ୍ରିମକୋର୍ଟ କମିଟି ଗଠନ କରିବାକୁ ଆମେ କେବେ ଦାବି କରିନଥିଲୁ । ଏହା ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି । ଏହି କମିଟି ଆମ ପାଇଁ ଗ୍ରହଣୀୟ ନୁହେଁ । ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ଏହା ହେଉଛି ସରକାରଙ୍କ ଏକ ଚାଲ୍ ।

କୃଷକ ନେତାମାନେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ସ୍ଵତଃ ସଜ୍ଞାନ ନେଇ କୃଷି ଆଇନ ପ୍ରତ୍ୟାହାର କରିପାରିବେ। ଆଉ ଜଣେ କୃଷକ ନେତା ଦର୍ଶନ ସିଂ କହିଛନ୍ତି ଯେ ସେମାନେ କୌଣସି କମିଟି ସମ୍ମୁଖରେ ହାଜର ହେବେ ନାହିଁ। ସଂସଦ ଏହି ପ୍ରସଙ୍ଗରେ ଆଲୋଚନା କରି ଏହାର ସମାଧାନ କରିବା ଉଚିତ୍। ଆମେ କୌଣସି ବାହ୍ୟ କମିଟି ଚାହୁଁନାହୁଁ |

Comments are closed.