ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସିଇଓ ପୁନାୱାଲା ନେଲେ ଟିକା, ଟିକାକରଣ ପାଇଁ ଦେଶକୁ ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ – କରୋନା ବିରୋଧରେ ଭାରତରେ ଶନିବାର ଠାରୁ ଆରମ୍ଭ ହୋଇଛି ମେଗା ଟିକାକରଣ ଅଭିଯାନ । ଦେଶର ୩୦୦୬ କେନ୍ଦ୍ରରେ ଟିକା ଦିଆଯାଉଛି । ପ୍ରଥମ ଦିନରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଦେଶରେ ପ୍ରଥମ ଟିକା ଭାବେ ଅନୁମତି ପାଇଥିବା ‘କୋଭିସିଲ୍ଡ’ର ନିର୍ମର୍ାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଦାର ପୁନାୱାଲା ବି ‘କୋଭିସିଲ୍ଡ’ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ସେ ଟିକାକରଣ କାର୍ଯ୍ୟକ୍ରମର ସଫଳତା କାମନା କରି ଦେଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଟିକାକରଣ ପ୍ରଥମ ଦିବସରେ ଦେଶବ୍ୟାପୀ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଥିବା ବେଳେ ପୁନାୱାଲା ନିଜେ ଟିକା ନେବା ସମୟର ଏକ ଛୋଟ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ସେ ‘କୋଭିସିଲ୍ଡ’ ଟିକା ନେଉଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ସହ ପୁନାୱାଲା ଲେଖିଛନ୍ତି – ବିଶ୍ୱର ସବୁଠୁ ବଡ଼ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ସଫଳତା ପାଇଁ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ଐତିହାସିକ ପ୍ରୟାସରେ ‘କୋଭିସିଲ୍ଡ’ ଏକ ଅଂଶ ସାଜିଥିବାରୁ ମୁଁ ଗର୍ବିତ । ଏହି ଟିକା ପ୍ରଭାବୀ ଓ ସୁରକ୍ଷିତ । ତେଣୁ ମୁଁଁ ମଧ୍ୟ ଆଜି ଦେଶର ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଶି ଟିକା ନେଇଛି ବୋଲି ପୁନାୱାଲା ଟ୍ୱିଟ କରି କହିଛନ୍ତି ।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ଭାରତରେ ଉତ୍ପାଦନ ଓ ବିତରଣ କରୁଛି ସେରମ୍ । ‘କୋଭିସିଲ୍ଡ’ ସହ ଦେଶୀ ଟିକା ଭାବେ ପରିଚିତ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ବି ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି ।

Comments are closed.