ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କଲା କେନ୍ଦ୍ର, କହିଲା ଭୁଲରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି

ନୂଆଦିଲ୍ଲୀ – ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାର ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କରିଛି କେନ୍ଦ୍ର । ଗତାକାଲି ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାର କମାଇବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ହେଲେ ଏହାର ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୀତାରମଣ କହିଛନ୍ତି ଯେ, ଏ ସମ୍ପର୍କିତ ବିଜ୍ଞପ୍ତି ଭୁଲବଶତଃ ପ୍ରକାଶ ପାଇଥିଲା ।

ସୀତାରମଣ କହିଛନ୍ତି ଯେ, ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ଯେଉଁଭଳି ସୁଧ ମିଳୁଥିଲା ତାହା ଜାରି ରହିବ ।

ଗତକାଲି କେନ୍ଦ୍ର ତରଫରୁ ଜାରି ଏକ ବିଜ୍ଞପ୍ତିରେ ୨୦୨୧-୨୨ ଆର୍ôଥକ ବର୍ଷ ପାଇଁ ସ୍ୱଳ୍ପ ସଞ୍ଚୟ ଯୋଜନା ଗୁଡିକ ଉପରେ ସୁଧହାର ହ୍ରାସ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ପବ୍ଲିକ ପ୍ରୋଭିଡେଣ୍ଟ୍ ଫଣ୍ଡ୍ (ପିପିଏଫ୍‌) ସୁଧହାର ୭୦ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇଥିଲା । ଏହା ଉପରେ ସୁଧହାର ୭.୧% ରୁ ୬.୪%କୁ କମାଇ ଦିଆଯାଇଥିଲା । ସେହିପରି ପାଞ୍ଚ ବର୍ଷୀୟା ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି) ସୁଧହାର ମଧ୍ୟ ହ୍ରାସ କରାଯାଇଥିବା ନେଇ ଘୋଷଣା ହୋଇଥିଲା । ସରକାରୀ ବିଜ୍ଞପ୍ତି ଅନୁସାରେ ଏନ୍‌ଏସ୍‌ସି ସୁଧହାର ୯୦ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା । ଅର୍ଥାତ ଏଥିରେ ମିଳୁଥିବା ୬.୮% ସୁଧକୁ ୫.୯%କୁ ହ୍ରାସ କରାଯାଇଥିଲା । ଅନୁରୂପ ଭାବେ ସୁକନ୍ୟା ସମୃଦ୍ଧି ଯୋଜନା (ଏସ୍‌ଏସ୍‌ୱାଇ) ଅନ୍ତର୍ଗତ ସୁଧହାର ୭୦ ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା । ବର୍ଷିକିଆ ସ୍ଥାୟୀ ଜମା ଓ ଅନ୍ୟାନ୍ୟ ସ୍ୱଳ୍ପ ଅବଧି ସ୍ଥାୟୀ ଜମା ଉପରେ ମଧ୍ୟ ସୁଧହାର ହ୍ରାସ କରାଯାଇଥିଲା ।

Comments are closed.