ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ରେକର୍ଡ ବୃଦ୍ଧି, ଦିନକରେ ଆଉ ୭୨ ହଜାର ମାମଲା, ୪୫୯ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭୟ ବଢ଼ାଉଛି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୭୨,୩୩୦ ନୂଆ ମାମଲା ଚିହ୍ନଟ ହୋଇଛି । ୧୭୨ ଦିନ ପରେ ଓ ଚଳିତ ବର୍ଷ ସଂକ୍ରମଣରେ ଏହା ହେଉଛି ସର୍ବୋଚ୍ଚ ବୃଦ୍ଧି । ଶେଷଥର ଅକ୍ଟୋବର ୧୦ରେ ୭୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଥିଲା । ସେହିପରି ମୃତ୍ୟୁ ସଂଖ୍ୟାରେ ବି ରେକର୍ଡ ବୃଦ୍ଧି ଘଟିଛି । ଦିନକରେ ଏହି ମହାମାରୀରେ ୪୫୯ ଲୋକଙ୍କ ମୃତ୍ୟୁ ହୋଇଛି । ଡିସେମ୍ବର ୫ ପରେ ପ୍ରଥମ ଥର ଦିନକରେ ୪୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ମୋଟ କରୋନା ମାମଲା ୧ କୋଟି ୨୨ ଲକ୍ଷ ୨୧ ହଜାର ୬୬୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୬୨ ହଜାର ୯୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୪ ଲକ୍ଷ ୭୪ ହଜାର ୬୮୩ ଜଣ ସୁସ୍ଥ ହୋଇଛନ୍ତି ।
ଭାରତରେ ଦୈନିକ ଆକ୍ରାନ୍ତ ବଢ଼ିବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦେଶରେ ଏବେ ୫ ଲକ୍ଷ ୮୪ ହଜାର ୫୫ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.