ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ପଷ୍ଟୀକରଣ: ଟିକାକରଣ ପାଇଁ ପଞ୍ଜିକରଣ ଆପ୍ ନୁହେଁ କୋ-ୱିନ୍ ପୋର୍ଟାଲରେ ହେବ

ନୂଆଦିଲ୍ଲୀ – କରୋନା ବିରୋଧରେ ଦେଶରେ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ତେବେ ଅନେକ ଲୋକ ଟିକାକରଣ ପାଇଁ ନିଜ ନାମ ପଞ୍ଜିକରଣ କରିବାରେ ଅସୁବିଧାର ସାମ୍ନା କରିଥିଲେ । ଅଧିକାଂଶ ଆଦୌ ପଞ୍ଜିକରଣ ବି କରିପାରିନଥିଲେ । ଏଭଳି ଅଭିଯୋଗ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଟିକା ପାଇଁ ପଞ୍ଜିକରଣ ନେଇ ସ୍ପଷ୍ଟୀକରଣ ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ସାଧାରଣ ଲୋକ କୋ-ୱିନ୍ ଆପ୍ ନୁହେଁ ବରଂ cowin.gov.in.ସଦ୍ଭ ପୋର୍ଟାଲରେ ନିଜ ନାମ, ଠିକଣା ପଞ୍ଜିକରଣ କରିବେ । କୋ-ୱିନ୍ ଆପ୍‌ରେ ପଞ୍ଜିକରଣ କେବଳ ପ୍ରଶାସକଙ୍କ ପାଇଁ ଉଦ୍ଦିଷ୍ଟ । ମାର୍ଚ୍ଚ ୧ରୁ କୋ-ୱିନ୍ ପୋର୍ଟାଲରେ ସକାଳ ୯ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଞ୍ଜିକରଣ କରିହେବ । ହିତାଧିକାରୀମାନେ ନିଜ ସୁବିଧାନୁସାରେ ଟିକା ନେବା ସ୍ଥାନ ଓ ତାରିଖ ବାଛି ପାରିବେ ।

ସୋମବାର ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ବିଭିନ୍ନ ଦୁରାରୋଗରେ ପୀଡିତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଲଗାଯିବ । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକା ଦିଆଯିବ । ସରକାରୀ ହସ୍ପିଟାଲରେ ଟିକା ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଘରୋଇ ହସ୍ପିଟାଲରେ ଟିକା ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ହେବ ।

Comments are closed.