ହ୍ୱାଟ୍‌ସଆପ୍ ଚାଟ୍‌କୁ ନେଇ ଅର୍ଣ୍ଣବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ମହାରାଷ୍ଟ୍ର ସରକାର

ନୂଆଦିଲ୍ଲୀ – ‘ବାର୍କ’ ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କ ସହ ତାଙ୍କର ହ୍ୱାଟ୍‌ସଆପ୍ ଚାଟ୍ ଲିକ୍ ହେବା ପରଠୁ ରିପବ୍ଳିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅଡୁଆ ବଢ଼ିବାରେ ଲାଗିଛି । ପ୍ରଘଟ ହୋଇଥିବା ହ୍ୱାଟ୍‌ସଆପ୍ ବାର୍ତ୍ତଳାପ ଆଧାରରେ ମହାରାଷ୍ଟ୍ର ସରକାର ଅର୍ଣ୍ଣବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଚାର କରୁଛନ୍ତି । ଏଥିପାଇଁ ମହାରାଷ୍ଟ୍ର ସରକାର ଆଇନଗତ ପରାମର୍ଶ ନେଉଛନ୍ତି ।

୨୦୧୯ରେ ପାକିିସ୍ତାନର ବାଲାକୋଟ୍ ଉପରେ ଭାରତର ବିମାନ ଆକ୍ରମଣ ନେଇ ତାଙ୍କ ପାଖରେ ଆଗୁଆ ସୂଚନା ରହିଛି ବୋଲି ଦାସଗୁପ୍ତଙ୍କ ସହ ହ୍ୱାଟ୍‌ସଆପ୍ ବାର୍ତ୍ତାଳପରେ ଅର୍ଣ୍ଣବ କହିଥିଲେ । ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିଥିବାରୁ ତାଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇପାରେ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୂଚନା ଦେଇଛନ୍ତି । ଅର୍ଣ୍ଣବ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ନେଇ କିପରି ଆଗୁଆ ସୂଚନା ପାଇଲେ ବୋଲି ଦେଶମୁଖ ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହା ଏକ ଗମ୍ଭୀର ମାମଲା । ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ର ତିନିଦିନ ଆଗରୁ ଅର୍ଣ୍ଣବ ପାଖରେ ଏ ସମ୍ପର୍କରେ ସୂଚନା ଥିଲା । ଏଭଳି ସମ୍ବେଦନଶୀଳ ତଥ୍ୟ ଅର୍ଣ୍ଣବ କିପରି ଆଗୁଆ ପାଇଲେ ସେନେଇ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ପଡିବ ବୋଲି ଦେଶମୁଖ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ ୧୪, ୨୦୧୯ରେ ଜାମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ । ଏହାର ଜବାବ ଦେବା ପାଇଁ ଭାରତ ତରଫରୁ ଫେବୃୟାରୀ ୨୬,୨୦୧୯ରେ ପାକିସ୍ତାନର ବାଲାକୋଟ୍ ସ୍ଥିତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍‌)ର କ୍ୟାମ୍ପ୍ ଉପରେ ବିମାନ ଆକ୍ରମଣ ହୋଇଥିଲା ।

ଅର୍ଣ୍ଣବଙ୍କ ହ୍ୱାଟ୍‌ସଆପ୍ ଚାଟ୍‌ର ସତ୍ୟାସତ୍ୟ ଜାଣିବା ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା ଏହାର ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି । ଏହି ପ୍ରସଙ୍ଗରେ ବିଜେପି ତରଫରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Comments are closed.