୧୧ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ଟିକାକରଣ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ – ଦେଶରେ ଖୁବ ଶୀଘ୍ର ଆରମ୍ଭ ହେବ ଟିକାକରଣ । ଏନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଟିକାକରଣ ଅଭିଯାନର ଶୁଭାରମ୍ଭ ପୂର୍ବରୁ ଆସନ୍ତା ଜାନୁୟାରୀ ୧୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏନେଇ ସୂଚନା ଦିଆଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ଉପରେ ଆଲୋଚନା ହେବ । ଦେଶରେ ଜରୁରୀ ବ୍ୟବହାର ପାଇଁ ଦୁଇ କୋଭିଡ୍ ଟିକାକୁ ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବୈଠକ ହେବ । ଦେଶରେ କରୋନା ମହାମାରୀ ବ୍ୟାପିବା ଦିନଠୁ ପ୍ରଧାନମନ୍ତ୍ରୀ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଦେଶରେ ସମ୍ଭବତଃ ଆସନ୍ତା ସପ୍ତାହରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହା ପୂର୍ବରୁ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଦେଶବ୍ୟାପୀ ଟିକାକରଣ ମକ୍‌ଡ୍ରିଲ ହୋଇଛି । ଦେଶରେ ଜରୁରୀ ବ୍ୟବହାର ପାଇଁ ଭାରତର ଡ୍ରଗ୍ସ ନିୟନ୍ତ୍ରକ ଦୁଇଟି ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’କୁ ଅନୁମତି ଦେଇଛନ୍ତି । ‘କୋଭିସିଲ୍ଡ’ ଟିକାକୁ ତିଆରି କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଦେଶୀ ଟିକା ଭାବେ ପରିଚିତ ‘କୋଭାକ୍ସିନ’ କୁ ବିକଶିତ କରିଛି ଭାରତ ବାୟୋଟେକ୍ ।

Comments are closed.