ଚାଷୀ-ସରକାର ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବି ବିଫଳ, କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ନେଇ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିନା କୌଣସି ନିଷ୍କର୍ସରେ ଶେଷ ହୋଇଛି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଆଇନ ପ୍ରତ୍ୟାହାର ନ ହେଲା ଯାଏଁ ସେମାନେ ଘରକୁ ଫେରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଚାଷୀମାନେ କହିଛନ୍ତି । ତେବେ ଚାଷୀଙ୍କ ଏହି ଦାବି ଗ୍ରହଣ କରିବାକୁ ସରକାର ନାରାଜ । ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । ଆଇନ ପ୍ରତ୍ୟାହାର ଦାବି ପରିବର୍ତ୍ତେ ଏଥିରେ ରହିଥିବା କିଛି ନିର୍ଦ୍ଦିଷ୍ଟ ଧାରାକୁ ନେଇ ଆଲୋଚନା ହେବା ଉଚିତ ବୋଲି ସରକାର କହିଛନ୍ତି ।

ଉଭୟ ପକ୍ଷ ନିଜ ଜିଦରୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଆଜିର ଆଲୋଚନାରେ ସେଭଳ ଗଠନ ମୂଳକ ହୋଇପାରିନଥିଲା । ଏହି ପ୍ରସଙ୍ଗରେ ଆସନ୍ତା ଜାନୁୟାରୀ ୧୧ରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ ବୈଠକ ଜାନୁୟାରୀ ୧୫କୁ ଧାର୍ଯ୍ୟ କରାଯାଇଛି । ସୁପ୍ରିମକୋର୍ଟ ତିନି କୃଷି ଆଇନର ବୈଧତା ସହ ଚାଷୀ ଆନ୍ଦୋଳନ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ଉପରେ ବି ଶୁଣାଣି କରିବା ସମ୍ଭାବନା ରହିଛି ।

Comments are closed.