୧୯୭୫ ଜରୁରୀ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବାକୁ ପିଟିସନ୍‌: କେନ୍ଦ୍ରର ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ –ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳିନ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଜଣେ ୯୪ ବର୍ଷୀୟା ମହିଳା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଏହାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜରୁରୀକାଳିନ ପରିସ୍ଥିତିର ୪୫ ବର୍ଷ ପରେ ଏହାର ବୈଧତା ନେଇ ତର୍ଜମା କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷେ କେତେ ଯୁକ୍ତିଯୁକ୍ତ୍ ହେବ ତାହା ଆମେ ଦେଖିବୁ ବୋଲି ଜଷ୍ଟିସ୍ ଏସ୍‌କେ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି । ଏହା ଆମ ପାଇଁ ଏକ କଷ୍ଟସାଧ୍ୟ ପ୍ରସଙ୍ଗ । ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯିବାର ନଥିଲା ବୋଲି କୋର୍ଟ କହିଛନ୍ତି । ଆବେଦନକାରୀ ବୀରା ସରିନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରି ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି ଯେ, ଜରୁରୀ ପରିସ୍ଥିତି ଦେଶର ସମ୍ବିଧାନ ପ୍ରତି ଏକ ବଡ଼ ଠକେଇ ଓ ଆକ୍ରମଣ ଥିଲା ।

ଉଲ୍ଲେଖଯୋଗ୍ୟ, ୧୯୭୫ ମସିହା ଜୁନ ୨୫ ମଧ୍ୟରାତ୍ର ଠିକ୍ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ । ପ୍ରାୟ ଦୁଇବର୍ଷ ପରେ ଅର୍ଥାତ୍ ମାର୍ଚ୍ଚ ୧୯୭୭ରେ ଜରୁରୀ ପରିସ୍ଥିତି ପ୍ରତ୍ୟାହାର କରାଯାଇଥିଲା ।

Comments are closed.